ଉତ୍ତରପ୍ରଦେଶ: ନାକେଦମ କଲା ବୁଲା ଷଣ୍ଢ । ୟୁପିର ଫତେହପୁର ଜିଲ୍ଲା କଲ୍ୟାଣପୁର ପୋଲିସ ଷ୍ଟେସନ ନିକଟସ୍ଥ ପହର ଗ୍ରାମରେ ଏକ ଷଣ୍ଢ ଏକ ଗେଷ୍ଟ ହାଉସର ଛାତ ଉପରକୁ ଚଢି ଯାଇଥିଲା । ଷଣ୍ଢଟି ଛାତ ଉପରେ ଚଢିଥିବାର ଦେଖି ସ୍ଥାନୀୟ ଲୋକ ଏହାକୁ ତଳକୁ ଆଣିବାକୁ ଚେଷ୍ଟା କରିଥିଲେ। ଦୀର୍ଘ ୧୦ ଘଣ୍ଟାର କସରତ ପରେ ଶେଷରେ ଷଣ୍ଢକୁ ଉଦ୍ଧାର କରାଯାଇଥିଲା ।
ଛାତ ଉପରେ ଷଣ୍ଢ ଚଢିଥିବାର ଦେଖି ଗାଁ ଲୋକେ ଷଣ୍ଢକୁ ହଟାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥିଲେ । ହେଲେ କେହି ସଫଳ ହୋଇନଥିଲେ। ଏହା ପରେ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ପହଂଚିବା ପରେ ଏକ କ୍ରେନ୍ କୁ ଡକାଯାଇଥିଲା । କିନ୍ତୁ ଉଚ୍ଚତାରେ ଠିଆ ହୋଇଥିବା ଷଣ୍ଢକୁ ଅନଲୋଡ୍ କରିବା ଅତି ସହଜ ନଥିଲା। କାରଣ ତଳକୁ ଓହ୍ଲାଇବା ପାଇଁ ଷଣ୍ଢକୁ ବାନ୍ଧିବା ଆବଶ୍ୟକ ଥିଲା । କିନ୍ତୁ ସେ କାହା ଅଧୀନରେ ନଥିଲା ।
ପରେ ଗ୍ରାମବାସୀମାନେ କୌଣସି ପ୍ରକାରେ ଦଉଡ଼ିରେ ବାନ୍ଧି ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହେଲେ ଏବଂ କ୍ରେନ ସାହାଯ୍ୟରେ ଷଣ୍ଢଟିକୁ ଧୀରେ ଧୀରେ ତଳକୁ ଓହ୍ଲାଇଥିଲେ ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ଯେ ଦୁଇଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହୋଇଥିଲା, ଏହା ପରେ ଗୋଟିଏ ଷଣ୍ଢ ଗେଷ୍ଟ ହାଉସର ସିଡ଼ି ଦେଇ ଛାତ ଉପରକୁ ଚଢ଼ିଯାଇଥିଲା । ପରେ ଗ୍ରାମବାସୀ ଷଣ୍ଢକୁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସଫଳତା ପାଇ ନ ଥିଲେ । ତା’ପରେ ଗେଷ୍ଟ ହାଉସ ଅପରେଟର ପୋଲିସକୁ ସୂଚନା ଦେଇଥିଲେ।