ଭୁବନେଶ୍ୱର: ମହାମାରୀ କରୋନା କାହା ଜୀବନ ନେଇଯାଉଛି ତ କାହାର ଛଡେଇ ନେଇଛି ବେଉସା | ଜୀବନ ଆଉ ଜୀବିକା ନିମନ୍ତେ ସଂଘର୍ଷ କରୁଥିବା ଏଇ ମଣିଷମାନଙ୍କ ପାଇଁ ସେ ଆଜି ମହାଦାନବ ସାଜିଛି | ଯେମିତି ମାନବ ଜାତିକୁ ସମୂଳେ ନାଶ ପାଇଁ ମହାକାଳ ରୂପରେ ସମଗ୍ର ବିଶ୍ୱକୁ ଗ୍ରାସ କରିଛି | ବଡ ବଡ ଦେଶ , ରାଷ୍ଟ୍ର ତା ଆଗରେ ସତେ ଯେମିତି ନତମସ୍ତକ |
କରୋନା ପାଇଁ ଭାରତର ବିଭିନ୍ନ ରାଜ୍ୟରେ ଏବେ ଲକ ଡାଉନ | କରୋନା ଠାରୁ ଦୂରେଇବା ପାଇଁ ଏଇ ଲକ ଡାଉନ ହିଁ ଏକମାତ୍ର ମୃତ୍ୟୁ ସଂଜୀବନୀ ମନ୍ତ୍ର | ଲକ ଡାଉନ ସଫଳ କରିବା ପାଇଁ ଲାଗିପଡିଛନ୍ତି ସମସ୍ତେ | ୟା’ରି ଭିତରେ ବଳି ପଡିଯାଇଛନ୍ତି ବିଚରା ରାସ୍ତା କଡର ଉଠା ଦୋକାନୀମାନେ | ପ୍ରତିଦିନ ସକାଳେ ଆଉ ସନ୍ଧ୍ୟାରେ ଲାଗେ ଏଇ ଦୋକାନ | ଷ୍ଟ୍ରୀଟ ଫୁଡ ଖାଇବାକୁ ଯୁବକ ଠୁ ଆରମ୍ଭ କରି ବୃଦ୍ଧ , ପ୍ରାୟ ସମସ୍ତଙ୍କୁ ଦେଖିବାକୁ ମିଳେ ଏଠି | ନାହିଁ ନ ଥିବା ଭିଡ ଲାଗେ | ଏଇ ବ୍ୟବସାୟ କରି ଯାହା ଦି ‘ ପଇସା ରୋଜଗାର ହୁଏ ସେଇଥିରେ ସେମାନଙ୍କ ପରିବାର ଚଳନ୍ତି |
ସହର ଜାଗା ଚାକିରୀ ନ ଥିବାରୁ ଏଇ ବ୍ୟବସାୟକୁ ଭରସା କରି ତାଙ୍କର ସଂସାର ରଥ ଗଡେ | ହେଲେ କି କରୋନା ଆସିଲା ଯେ , ଜନଗହଳି ଠାରୁ ଦୂରେଇ ରହିବା ପାଇଁ ଦେଶ ତଥା ରାଜ୍ୟରେ ଘୋଷଣା ହେଲା ଲକଡାଉନ | ପରିବା, ମେଡ଼ିସିନ ଆଉ ଗ୍ରୋସରୀ ଦୋକାନୀକୁ ଛାଡିଦେଲେ ବାକି ସବୁ ବନ୍ଦ | ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଘୋଷଣା ପରେ ଘୋଷଣା… | ମାର୍ଚ୍ଚ ୨୩ ରୁ ମେ ୩, ଦୀର୍ଘ ଏତେ ଦିନ କେମିତି ବଂଚିଲେ ଏମାନେ !! ପ୍ରତିଦିନ ଦୋକାନ ଖୋଲିଲେ ଯାହାଙ୍କ ପରିବାର ଚଳୁଥିଲା, ସେ ଆଉ କଣ ବା କରିପାରିବେ | ଧାର କରଜ କରି , ଜିନିଷ ପତ୍ର ବନ୍ଧା ପକେଇ ଏତେ ଦିନ ଚଳିଆସିଲେ | ଭାବିଲେ ମେ ୩ ରେ ସରକାର ତାଙ୍କ ଦୁଃଖ ବୁଝିବେ | ଲକ ଡାଉନ କୋହଳ କରି ଅନ୍ତତଃ ଦୋକାନ ଖୋଲିବାକୁ ଅନୁମତି ତ ଦେବେ, କିନ୍ତୁ କାହିଁ ??
”ଭାରତର ସମଗ୍ର ରାଜ୍ୟରେ କରୋନା ମହାମାରୀ ପାଇଁ ଏହି ଲକ ଡାଉନ ସମୟ ମେ’ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ ବୃଦ୍ଧି କରାଗଲା | ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମେ’ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ” ବୋଲି କେନ୍ଦ୍ର ସରକାର ଘୋଷଣା କଲେ |
ସରକାରଙ୍କ ଏ ଘୋଷଣା ଶୁଣି ଭାଙ୍ଗି ପଡିଛନ୍ତି ଏଇ ଉଠା ଦୋକାନୀମାନେ | ତାଙ୍କ ଆଗରେ ଆଉ କିଛି ବି ବୁଦ୍ଧି ବାଟ ଦେଖା ଯାଉନି , କଣ କରିବେ ଏମାନେ ??
”ସରକାରଙ୍କ ଏ ଘୋଷଣା ଆମମାନଙ୍କର ଜୀବନ ନବା ପାଇଁ | ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଲକ ଡାଉନ ବଢିବାକୁ ଆମେ ଗ୍ରହଣ କରୁଛୁ କିନ୍ତୁ ଆମ ଭଳି ଖଟିଖିଆମାନଙ୍କର ଦୁଃଖ ନ ବୁଝିବାଟା ଆମକୁ ଭାରି କଷ୍ଟ ଦେଇଛି | ଆମେ କଣ ସରକାରରେ ବସେଇଥିଲୁ ଆଜି ଏଇ ଦିନ ଦେଖିବାକୁ ” | ରାଜଧାନୀର ପ୍ରଶାନ୍ତି ବିହାରରେ ରହୁଥିବା ଶ୍ରୀଵତ୍ସ ମତ ଦିଅନ୍ତି |
ନନ୍ଦନ ବିହାର ଅଂଚଳର ୪୫ ବର୍ଷୀୟ ନବ ମହାରଣା କୁହନ୍ତି ” ମୋର ୨ ଟି ପିଲା , ଦୋକାନ ବନ୍ଦ ହେଲେ ଆମେ ଚଳିବୁ କେମିତି | ହାତରେ ଫୁଟା କଉଡ଼ିଟିଏ ନାହିଁ | ଘରଭଡା ନ ଦେବାରୁ ଘର ମାଲିକ ତ ଘର ଛାଡିବାକୁ ଅଡ଼ି ବସିଲାଣି | କେମିତି ଏ ସମୟରେ ପିଲାମାନଙ୍କୁ ନେଇ କୋଉଠିକି ଯିବୁ ? ଆମମାନଙ୍କର ମୃତ୍ୟୁ ହେଲେ ସରକାରଙ୍କୁ କଣ ଭଲ ଲାଗିବ ” |
ମହାମାରୀ କରୋନା ରେ କ୍ଷୟକ୍ଷତିର ହିସାବ ନାହିଁ | ଯେଉଁଠି ଜୀବନ ରହୁନି ସେଠି ଏ କ୍ଷୟ କ୍ଷତି କଣ ? ଯଦି ସରକାର କଠୋର ନ ହେଇ ଏମାନଙ୍କ କଥା ଚିନ୍ତା କରନ୍ତେ, ତାହେଲେ ରାସ୍ତା କଡର ଏଇ ଉଠା ଦୋକାନୀମାନେ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖନ୍ତେ |