ନୂଆଦିଲ୍ଲୀ: ଏଭଳି ଘଟଣା ପ୍ରାୟତ ପାକିସ୍ତାନରୁ ଆସିଥାଏ ଯାହାକି ସମଗ୍ର ବିଶ୍ୱକୁ ଚକିତ କରିଥାଏ । ଏପରି ଏକ ମାମଲା ବର୍ତ୍ତମାନ ସାମ୍ନାକୁ ଆସିଛି, ଯାହାକୁ ନେଇ ସେଠାକାର ପୋଲିସ ସମାଲୋଚନାର ଶିକାର ହେବାକୁ ପଡିଛି । ଖବର ଅନୁଯାୟୀ, ଜୁଆ ଖେଳ ଅଭିଯୋଗରେ ପାକିସ୍ତାନ ପୋଲିସ ଏକ ଗଧକୁ ଥାନାରେ ଅଟକ ରଖିଥିଲା ।
ସାମ୍ବାଦିକ ନୟଲା ଇନାୟତ ଅଭିଯୁକ୍ତଙ୍କ ସହ ଗଧର ଏକ ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିବା ସହ ପାକିସ୍ତାନର ଏକ ନ୍ୟୁଜ୍ ଏଜେନ୍ସି ସହିତ ଏକ ଲିଙ୍କ୍ ମଧ୍ୟ ସେୟାର କରିଥିଲେ। ଖବର ଅନୁଯାୟୀ, ପାକିସ୍ତାନର ପଞ୍ଜାବ ପ୍ରଦେଶର ରହୀମ ୟାର ଖାନରେ ପୋଲିସ ଜୁଆ ଖେଳ ଅଭିଯୋଗରେ ଗୋଟିଏ ଗଧ ସମେତ ୮ ଜଣଙ୍କୁ ଗିରଫ କରିବା ସହ ୧ ଲକ୍ଷ ଟଙ୍କା ମଧ୍ୟ ଜବତ କରିଥିଲା ।
ପୋଲିସର ସୂଚନାନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାରେ ଗଧର ନାମ ମଧ୍ୟ ରହିଛି, ଏପରି ପରିସ୍ଥିତିରେ ଗଧକୁ ଛାଡିବା ଠିକ ହେବ ନାହିଁ ବୋଲି ପୋଲିସ ଅଧିକାରୀ କହିଥିଲେ । ତେବେ ସୋସିଆଲ ମିଡିଆରେ ଏ ଖବର ଭାଇରଲ ହେବାପରେ ଅନେକ ଲୋକ ପାକିସ୍ତାନ ପୋଲିସର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।