Trending

ମଝି ଦରିଆରେ କଳାକାର, ପରିସ୍ଥିତିରେ କେବେ ଆସିବ ସୁଧାର





ଲକଡାଉନକୁ ନେଇ ସାରା ରାଜ୍ୟ ଚିନ୍ତିତ ଥିଲାବେଳେ ଏବେ ଦୁଃଖ ଦୁର୍ଦ୍ଦଶାରେ କଟୁଛି କଳାକାରଙ୍କ ଜୀବନ | ସାମାଜିକ ଏକତ୍ରୀକରଣ ହିଁ କଳାକାରମାନଙ୍କର ରୋଜଗାରର ମାଧ୍ୟମ | ହେଲେ ଏବେ ସରକାର ସୋସିଆଲ ଗ୍ୟାଦରିଂ ପାଇଁ ଜୁନ ମାସ ଶେଷ  ଯାଏ ଅନୁମତି ଦେଇନାହାନ୍ତି | ମାର୍ଚ୍ଚ ଶେଷ ସପ୍ତାହରୁ ଜୁନ ମୋଟାମୋଟି ୧୧୦ ଦିନରୁ ଉର୍ଧ୍ଵ ଏହି  କଳାକାର ଆଉ ଏଥିରେ  ସମ୍ପୃକ୍ତ ଟେକନିସିଆନମାନେ ପରିବାର ପ୍ରତିପୋଷଣ କରିବେ କେମିତି ? 

ସିନେମା ଓ ସିରିଏଲ କଳାକାର : 

କରୋନା ପାଇଁ ମହାସଂକଟରେ ସିନେମା ଆଉ ସିରିଏଲର କଳାକାର , ଟେକନିସିଆନ | ଦୀର୍ଘ ଦିନ ହେବ ନା କୌଣସି ଫିଲ୍ମର  ଶୁଟିଂ ହେଇଛି ନା ସିରିଏଲର |ଏପରିକି ସବୁ କଳାକାରମାନେ ତାଲା ବନ୍ଦ ଭିତରେ ପଡି ରହିଛନ୍ତି | ଗ୍ଲାମର ଦୁନିଆରେ ରହି ଘରେ ଘରେ ପରିଚିତି ଲାଭ କରିଥିବା ଏହି କଳାକାରମାନେ ଏବେ  ନିଜ ଦୁଃଖ ନ ଦେଖେଇ ଗୁମୁରି ଗୁମୁରି କାନ୍ଦିବାଟା ହିଁ ସାର ହେଉଛି | ଅଭିମାନ ଆଉ ଆତ୍ମସ୍ୱାଭିମାନକୁ ନେଇ କଳାକାରଟିଏ ବଂଚେ | ଦୁଃଖର ସୀମା ଅତିକ୍ରମ କଲାପରେ କଳାକାରଟିଏ କରିବ କଣ ? 

ପେଟ ଚାଖଣ୍ଡକ ପାଇଁ କିଛି କଳାକାର ଏବଂ ସିନେମା ନିର୍ଦେଶକ ପରିବା ବିକ୍ରି କରୁଛନ୍ତି ତ ଆଉ କେଉଁଠି କଳାକାରଟିଏ  ମାଛ ବିକ୍ରିକରିବାର ନଜିର ରହିଛି | ଲକଡାଉନ ପ୍ରଭାବରେ ଉଭୟ ଶାରୀରିକ ଆଉ ମାନସିକ ଭାବେ ଅସୁସ୍ଥ ହେଇପଡିଲେଣି କଳାକାରମାନେ |

ଯାତ୍ରା କଳାକାର :         

ଯାତ୍ରା ଦୁନିଆରେ ମଧ୍ୟ ସମାନ ଧରଣର ଦୁର୍ଦଶା |  କଟକଣା ପାଇଁ  ଦୀର୍ଘ ଦିନ ହେଲା ହାତବାନ୍ଧି ବସିଛନ୍ତି ଯାତ୍ରା ଅଭିନେତା, ଅଭିନେତ୍ରୀ ଆଉ ଟେକନିସିଆନଗଣ । ଏହି ତାଲା ବନ୍ଦ ଯୋଗୁ ପ୍ରାୟ ୧୦ ହଜାର କଳାକାର ତାଙ୍କର ଜୀବୀକା ହରେଇ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି | ରାତିର ଝିଲମିଲ ଆଲୋକରେ ଜନତାଙ୍କୁ  ମନୋରଞ୍ଜନ କରୁଥିବା ଏହି କଳାକାରମାନଙ୍କ ଭବିଷ୍ୟତ ଏବେ ଅନ୍ଧକାରମୟ  ହୋଇ ଉଠିଛି |  

କଳାକାର ଆଉ ମାଲିକଙ୍କ ମଧ୍ୟରେ ଏବେ ଶୀତଳ ଯୁଦ୍ଧ ଦେଖିବାକୁ ମିଳୁଛି | ରଂଗମଞ୍ଚ ବନ୍ଦ ଥିବାରୁ କଳାକାରମାନେ ଦାନାଗଣ୍ଡେ ପାଇଁ ରାଜ ରାସ୍ତାକୁ ଓହ୍ଲାଇଛନ୍ତି | ଜନତାଙ୍କୁ ମନୋରଞ୍ଜନ କରେଇ ଯେଉଁ ଟଙ୍କା ଗଣ୍ଡିକ ପାଆନ୍ତି ସେଇଥିରେ ଚାଲିଯାଏ  ତାଙ୍କ ପରିବାର | ଲକଡାଉନ ଯୋଗୁ କାମ ବନ୍ଦ | କାମ ବନ୍ଦ ତ ପଇସା ଆସିବା ବନ୍ଦ | ସବୁ ବନ୍ଦ ହେବା ପରେ ସରକାରଙ୍କୁ ଗୁହାରୀ କରିଥିଲେ କଳାକାର । ଖାଲି ସେତିକି ନୁହେଁ ମାଲିକମାନେ ବି ଏ ଲକଡାଉନ ସମୟରେ କିଛି ଶୁଣୁ ନଥିବା ସେମାନେ ଅଭିଯୋଗ କରିଥିଲେ ।

ପଥପ୍ରାନ୍ତ କଳାକାର :

ଏମାନେ ଏଭଳି ଜଣେ ଜଣେ କଳାକାର,ଯିଏ  ରାସ୍ତା କଡରେ ଠିଆ ହେଇ ସରକାରଙ୍କ ବାର୍ତାକୁ ଅତି ସହଜରେ ଏବଂ ସରଳରେ ଲୋକମାନଙ୍କ ପାଖରେ ପହଞ୍ଚାନ୍ତି | ଲୋକମାନେ ଏମାନଙ୍କ ପାଖକୁ ଆସନ୍ତିନି ବରଂ ଏମାନେ ଜନତାଙ୍କ ପାଖକୁ ଯାଇ ଗୋଟେ ସ୍ଥାନରେ ସମସ୍ତ ଜନସାଧାରଣଙ୍କୁ ଏକାଠି କରାଇଥାନ୍ତି  | ମନୋରଞ୍ଜନ ଜରିଆରେ ସେମାନଙ୍କ ଧ୍ୟାନ ହଟେଇ ସାମାଜିକ ବାର୍ତାକୁ ବାଣ୍ଟିଥାନ୍ତି  | ସାମାଜିକ  ବାର୍ତ୍ତା ପ୍ରଚାର ପ୍ରସାର କରି ଯାହା କିଛି ପ୍ରାପ୍ୟ ପାଆନ୍ତି, ସେଇଥିରେ ସେମାନଙ୍କ ପରିବାର ଚଳନ୍ତି | କିନ୍ତୁ  କରୋନାଭାଇରସ ଯୋଗୁ ଏଇ କଳାକାରମାନେ ଏବେ ଦୟନୀୟ  ଅବସ୍ଥାରେ ଅଛନ୍ତି | ଦୀର୍ଘ ୩ ମାସରୁ ଅଧିକ ଲକଡାଉନ ଭିତରେ ସମସ୍ତ  କଳାକାର ଏବଂ ତାଙ୍କ ପରିବାରଙ୍କ ଜୀବନ ଦୀପ ଲିଭିବାକୁ ବସିଲାଣି | ନା ଅଛି ସେମାନଙ୍କ ପାଇଁ କିଛି ରୋଜଗାରର ପନ୍ଥା ନା କୌଣସି ବିକଳ୍ପ  | 

 ”ଆମେ ସବୁ ଜଣେ ଜଣେ ଏମିତି କଳାକାର, ଅନ୍ୟ କଳାକାରମାନଙ୍କ ଠାରୁ ବହୁତ ନିମ୍ନରେ | ଅନ୍ୟ କଳାକାରମାନେ ଲୋକମାନଙ୍କର କେବଳ ମନୋରଞ୍ଜନ କରନ୍ତି  ଆମେ କିନ୍ତୁ ଜନସାଧାରଣଙ୍କ  ମନୋରଞ୍ଜନ  କରିବା ସହିତ ବିଭିନ୍ନ ଅନୁଷ୍ଠାନମାନଙ୍କର ସାମାଜିକ ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚେଇଥାଉ | ଜନସାଧାରଣଙ୍କ ତାଳିକୁ ଗ୍ରହଣ କରିଛୁ ଆଉ ତାଙ୍କ ମାଡ ଗାଳୀକୁ ମଧ୍ୟ | ତଥାପି ବି ଆମେ ଆମ କାର୍ଯ୍ୟ ଜାରି ରଖିଛୁ ” ବୋଲି ପଥପ୍ରାନ୍ତ କଳାକାର ଚିକୁ ମତ ଦିଅନ୍ତି  |

ଷୋଳ କଳାର ରାଜ୍ୟ ଉତ୍କଳ(ଓଡିଶା) | ତାର କଳା , ନୈପୁଣ୍ୟ, ସଂସ୍କୃତି, ପରମ୍ପରା  ପାଇଁ ସମଗ୍ର ବିଶ୍ୱରେ ସେ  ପାଇଛି ଏକ ସ୍ୱତନ୍ତ୍ର ପରିଚୟ | ଓଡ଼ିଶାର କଳାକାର ବୋଲି କେତେ ସେ  ଗର୍ବ କରେ  |  କଳାକାର ପରିଚୟ ଯୋଗୁ କେବଳ ମିଳେ ତାକୁ ଆତ୍ମସନ୍ତୋଷ  କିନ୍ତୁ ପରିବର୍ତନ ହୁଏନି ତା’ ଜୀବନ ଜୀବିକାର ଧାରା |

କଣ ହେବ ଏହି କଳାମାନଙ୍କର ଭବିଷ୍ୟତ ? କେବେ ଖୋଲିବ ଏହି ଲକଡାଉନର  ମଞ୍ଚ ? ଅନିଶ୍ଚିତତା ମଧ୍ୟରେ  ଗତି କରୁଥିବା କଳାକାର ଜୀବନରେ କେବେ ଆସିବ ସୁଧାର ? କେବେ ଦୂର ହେବ  କଳାକାର ଜୀବନରେ ଦାରିଦ୍ର୍ୟର ଏହି ଅମାଅନ୍ଧକାର ?

(ଏଠି ଆମେ ସବୁ ବର୍ଗର କଳାକାରଙ୍କ କଥା କହିଛୁ | କେବଳ ଉଦାହରଣ ପାଇଁ ୩/୪ ଟି ବର୍ଗର କଳାକାରଙ୍କ କଥା ଉପସ୍ଥାପନା କରିଛୁ | )


Tags

Related Articles

Back to top button
Close