Trending

MSME ରେ କରୋନାର ପ୍ରଭାବ, ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର ଶିଳ୍ପ ସଂସ୍ଥା





ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ଚାଲିଛି । ଲକ୍‌ଡାଉନ୍ ସମୟରେ ଭାରତୀୟ ଶିଳ୍ପ ଜଗତରେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି ତାହା ଲକ୍‌ଡାଉନ୍ ଉଠିବା ପରେ ଆହୁରି ବ୍ୟାପକ ହେବାର ଆଶଙ୍କା ରହିଛି । ଏଥିପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରରେ ୬୦ ପ୍ରତିଶତ କର୍ମଚାରୀ ଛଟେଇ ହୋଇପାରନ୍ତି ବୋଲି କୁହାଯାଉଛି ।

ତାମିଲନାଡ଼ୁର କୋଇମ୍ବାଟୁର ସହର ‘ପମ୍ପ୍ ସିଟି’ ଭାବେ ପ୍ରସିଦ୍ଧ । ଏଠାରେ ୩ ହଜାରରୁ ଅଧିକ ପମ୍ପ୍ ତିଆରି କାରଖାନା ରହିଥିଲାବେଳେ ୧ ଲକ୍ଷ ୫୦ ହଜାରରୁ ଅଧିକ ଶ୍ରମିକ କାର୍ଯ୍ୟ କରନ୍ତି । ଲକ୍‌ଡାଉନ୍ ପ୍ରତ୍ୟାହାର ପରେ ପ୍ରାୟ ୭୫ ହଜାର ଶ୍ରମିକ ଛଟେଇ ହୋଇପାରନ୍ତି । କାରଣ ପୂର୍ବରୁ ଜିଏସ୍‌ଟି ଓ ଅର୍ଥନୈତିକ ମାନ୍ଦାବସ୍ଥା ସହ କୋଇମ୍ବାଟୁରର ପମ୍ପ ଶିଳ୍ପ ସଂଘର୍ଷ କରୁଛି । ଲକ୍‌ଡାଉନ୍ ଶେଷ ହେବା ପରେ ବି ମାତ୍ର ୪୦ ପ୍ରତିଶତ କାରଖାନା ପୁନଃ ଉତ୍ପାଦନ କରିବାକୁ ସକ୍ଷମ ହେବେ ବୋଲି ଜଣାପଡ଼ିଛି ।

ସାଧାରଣତଃ ଗ୍ରୀଷ୍ମ ଋତୁରେ ପମ୍ପ ଶିଳ୍ପ କ୍ଷେତରେ ଚାହିଦା ସର୍ବାଧିକ ରହିଥାଏ । କିନ୍ତୁ ଚଳିତ ବର୍ଷ ଲକ୍‌ଡାଉନ୍ ଯୋଗୁ ଚାହିଦା ହ୍ରାସ ପାଇଛି । ତେଣୁ ଆସନ୍ତା ମେ ୩ ତାରିଖ ପରେ କୋଇମ୍ବାଟୁରରେ ପ୍ରାୟ ୪୦ ପ୍ରତିଶତ କାରଖାନା କାମ ଆରମ୍ଭ କରିପାରନ୍ତି । ତେଣୁ ୭୫ ହଜାରରୁ ଅଧିକ କର୍ମଚାରୀଙ୍କ ଚାକିରି ଯାଇପାରେ ବୋଲି କୋଭାଇ ପାୱାର୍ ପମ୍ପ ଆଣ୍ଡ ସ୍ପେୟାର୍ ପାର୍ଟସ୍ ମାନୁଫାକ୍‌ଚୁରିଂ ଆସୋସିଏସନର ସଭାପତି କେ. ମଣିରାଜ କହିଛନ୍ତି ।

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଏପରି ସ୍ଥିତି ପ୍ରଥମ ଥର ପାଇଁ ସୃଷ୍ଟି ହୋଇନାହିଁ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଏସ୍‌ଟି ଲାଗୁ, ବିମୁଦ୍ରୀକରଣ ଓ ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ପୂର୍ବରୁ ବି ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ କରୋନା ଲକ୍‌ଡାଉନ୍ ଯୋଗୁ ସ୍ଥିତି ଆହୁରି ସଙ୍ଗିନ୍ ହୋଇଛି । ତେଣୁ ରାଜ୍ୟ ବାହାର ଶ୍ରମିକମାନେ କାମ ନ ପାଇ ସହର ଛାଡ଼ି ଚାଲିଯିବା ଭଳି ଅବସ୍ଥା ଦେଖାଦେଇଛି । କୋଇମ୍ବାଟୁର ପମ୍ପ ଶିଳ୍ପରେ କାର୍ଯ୍ୟରତ ଦେଢ଼ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ୧୦ ହଜାର ହେଉଛନ୍ତି ବାହାର ରାଜ୍ୟର । ଏବେ ସେମାନେ ସହର ଛାଡ଼ି ନିଜ ଘରକୁ ଯିବାକୁ ବାହାରିଛନ୍ତି ଓ ଲକ୍‌ଡାଉନ୍ ସରିବା ପରେ ଗାଡ଼ି ଚଳାଚଳ ଆରମ୍ଭ କଲେ ଘରକୁ ଫେରିଯିବେ ବୋଲି ଶ୍ରୀ ମଣିରାଜ କହିଛନ୍ତି । 

ଏମ୍‌ଏସ୍‌ଏମ୍‌ଇର ଆଉ ଏକ ପ୍ରମୁଖ କ୍ଷେତ୍ର ହେଉଛି ବୟନ ଶିଳ୍ପ । ଲକ୍‌ଡାଉନ୍ ଯୋଗୁ ଏହା ଉପରେ ମଧ୍ୟ ଢ଼େର୍ କୁପ୍ରଭାବ ପଡ଼ିଛି । କତା କାରଖାନା, ବିଦ୍ୟୁତ୍ ଶକ୍ତିଚାଳିତ ବୁଣା କାରଖାନା, ହାତବୁଣା ଓ ଡାଇଂକୁ ନେଇ ବୟନ ଶିଳ୍ପ ଚାଲିଛି । କିନ୍ତୁ ଲକ୍‌ଡାଉନ୍ ଯୋଗୁ କେବଳ ତାମିଲନାଡ଼ୁରେ ୪୫ ଲକ୍ଷ ଲୋକ ଚାକିରି ହରାଇବେ ବୋଲି ସଦର୍ଣ୍ଣ ଇଣ୍ଡିଆ ମିଲ୍‌ସ ଆସୋସିଏସନର ଅଧ୍ୟକ୍ଷ ଅଶ୍ୱିନୀ ଚନ୍ଦ୍ରନ୍ କହିଛନ୍ତି । ଏତେ ସଂଖ୍ୟକ ଲୋକଙ୍କୁ ଚାକିରିରୁ ଛଟେଇ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ । କାରଣ ଲକ୍‌ଡାଉନ୍ ଶେଷ ହେବା ପରେ ବୟନ ଶିଳ୍ପ କ୍ଷେତ୍ରରେ ମାତ୍ର ୨୦ରୁ ୨୫ ପ୍ରତିଶତ କାରଖାନା ଉତ୍ପାଦନକ୍ଷମ ହୋଇପାରିବ । ବର୍ତମାନ ପରିସ୍ଥିତିରେ ବୟନ ଶିଳ୍ପ ପୁନଃଜୀବନ ଲାଭ କରିବା ପାଇଁ କିଛିମାସ ସମୟ ଲାଗିବ । ଏବେ ଉତ୍ପାଦନ କମ୍ ହେବ । ତେଣୁ ଏହି କ୍ଷେତ୍ରରେ କମ୍ପାନୀମାନେ ବିଦ୍ୟୁତ ସମେତ ଖର୍ଚ୍ଚ କାଟ ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି ।

ଢ଼ଳେଇ କାରଖାନାରେ ବି ସମାନ ଅବସ୍ଥା । ଏହି ଶିଳ୍ପ ପମ୍ପ ତିଆରି କାରଖାନା, ବୟନ ଶିଳ୍ପ ଓ ଇଞ୍ଜିନିୟରିଂ ଯନ୍ତ୍ରାଂଶ ତିଆରି କରୁଥିବା କାରଖାନା ଉପରେ ନିର୍ଭରଶୀଳ । ତାମିଲନାଡ଼ୁର ୬୦୦ରୁ ଅଧିକ ଢ଼ଳେଇ କାରଖାନା ଉପରେ ୩ ଲକ୍ଷରୁ ଅଧିକ ଶ୍ରମିକ ଜୀବିକାର୍ଜନ ପାଇଁ ନିର୍ଭର କରିଆସୁଥିଲେ । ତନ୍ମଧ୍ୟରେ ବାହାର ରାଜ୍ୟର ଶ୍ରମିକମାନେ ବି ସାମିଲ ଥିଲେ । କିନ୍ତୁ ଲକ୍‌ଡାଉନ୍ ସେମାନଙ୍କ ପେଟରେ ଲାତ ମାରିଛି ।

ଲକ୍‌ଡାଉନ୍ ସମୟରେ କାମକୁ ନ ଗଲେ ବି ସେମାନଙ୍କୁ ପ୍ରଥମେ ଦରମା ଦିଆଯାଉଥିଲା । ପରେ ଏପ୍ରିଲ୍ ମାସରେ ସେମାନଙ୍କୁ କେବଳ ଖାଦ୍ୟ ଓ ଆଶ୍ରୟ ଦିଆଗଲା, କିନ୍ତୁ ମଜୁରୀ ମିଳିଲା ନାହିଁ ବୋଲି କୋଇମ୍ବାଟୁର କ୍ଷୁଦ୍ର ଢ଼ଳେଇ କାରଖାନା ମାଲିକ ମହାସଂଘର ସଭାପତି ଏ. ଶିବା ସନ୍‌ମୁଗା କୁମାର କହିଛନ୍ତି । କର୍ମଚାରୀଙ୍କୁ ଛଟେଇ ତ ଅନିବାର୍ଯ୍ୟ । କିନ୍ତୁ ଲକ୍‌ଡାଉନ୍ ଉଠିବା ପରେ ଆମେ ନିର୍ଭର କରୁଥିବା ଶିଳ୍ପ କାରଖାନା ଚାଲିବା ଆରମ୍ଭ କଲେ ପ୍ରକୃତ ପ୍ରଭାବ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି ।


Tags

Related Articles

Back to top button
Close