ଜାମ୍ମୁ କାଶ୍ମୀର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ଘଟଣା ବାରମ୍ବାର ସାମ୍ନାକୁ ଆସୁଛି। କେତେବେଳେ ଯବାନଙ୍କ ଗୁଳିରେ ଆତଙ୍କବାଦୀ ନିହତ ହେଉଛନ୍ତି ତ ଆଉ କେତେବେଳେ ଆମର ବୀର ଯବାନ ଆତଙ୍କୀମାଙ୍କ ସହ ସଂଘର୍ଷ କରି ସହିଦ ମଧ୍ୟ ହେଉଛନ୍ତି । କିନ୍ତୁ ଆଜି, ସେଇ ଏନକାଉଣ୍ଟର ସ୍ଥାନରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଯାହାକି ଅତ୍ୟନ୍ତ ଯନ୍ତ୍ରଣାଦାୟକ ।
ବୁଧବାର ସକାଳେ କାଶ୍ମୀରର ସୋପୋରରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଦଳ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ । ସର୍ବସାଧାରଣରେ ଏକ ବଜାରରେ ଏହି ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ ଦୁଇ CRPF ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ସାଧାରଣ ନାଗରିକ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ୬୦ ବର୍ଷୀୟ ଅଛନ୍ତି ।
ବୟସ୍କଙ୍କ ନାମ ବଶିର ଅହମ୍ମଦ। ତାଙ୍କର ୩ ବର୍ଷର ନାତି ସୋହେଲଙ୍କ ଜିଦ୍ ଯୋଗୁଁ ବଶିର ତାଙ୍କୁ ବଜାରକୁ ଆଣିଥିଲେ। ଆଉ ଏତିକି ବେଳେ ସୋହେଲଙ୍କ ଜେଜେବାପାଙ୍କ ଦେହରେ ବାଜିଥିଲା ଆତଙ୍କୀଙ୍କ ଗୁଳି । ଦେଖୁ ଦେଖୁ ସେଠାରେ ହିଁ ଟଳି ପଡ଼ିଥିଲେ ବଶିର । ହେଲେ ରକ୍ତ ଜୁଡୁବୁଡୁ ଜେଜେବାପାଙ୍କ ଶରୀର ଉପରେ ବସିରହିଥିଲେ ସୋହେଲ ।
ଗୋଟିଏ ପଟେ ଆତଙ୍କୀ ଆଉ ସେନାଙ୍କ ଗୁଳିମିନିମୟ ଚାଲିଥିବା ବେଳେ ଅନ୍ୟପଟେ ରାସ୍ତାରେ ପଡିଲା ସୋହେଲଙ୍କ ଜେଜେବାପାଙ୍କ ମୃତ ଦେହ । ଆଉ ଜେଜେବାପାଙ୍କ ମୃତ ଦେହ ଉପରେ ବସିରହିଥାଏ ତାଙ୍କ ନାତି ସୋହେଲ । ଗୁଳି ଶବ୍ଦ ଶୁଣି ଭୟଭୀତ ହୋଇପଡ଼ିଥିଲା ସୋହେଲ । ଆଉ ଏହି ସମୟରେ ଜଣେ CRPF ଯବାନ ପିଲାଟିକୁ ତାଙ୍କ ପାଖକୁ ଡାକିଥିଲେ। ପରେ ସୋହେଲ ଜେଜେବାପାଙ୍କ ମୃତଦେହ ପାଖରୁ ଉଠି ଯବାନଙ୍କ ଆଡକୁ ଯାଇଥିଲା । ଏହା ପରେ ଯବାନ ଜଣକ ପିଲାଟିକୁ ଧରି ଏକ ସୁରକ୍ଷିତ ସ୍ଥାନରୁ ନେଇ ଯାଇଥିଲେ। ଯାହାଫଳରେ ସୋହେଲର ଜୀବନ ବଂଚି ଯାଇଛି । ଆଉ ସେହି ମୁହୂର୍ତର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।