ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ କଥା ଏବେ ଲୋକ ଲୋଚନକୁ ଆସୁଛି । ଅନେକ ଲୋକ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ନିଜର ମତ ରଖିବାକୁ ଆଗକୁ ଆସୁଛନ୍ତି । ଆଉ ଏସବୁ ଭିତରେ ସ୍ୱର୍ଗତ ଅଭିନେତ୍ରୀ ଜିଆ ଖାନଙ୍କ ମା ରବିନା ଆମିନ ଏକ ଭିଡିଓ ସେୟାର କରିଛନ୍ତି ଏବଂ ସେଇ ଭିଡିଓରେ ସଲମାନ ଖାନ ଓ ସୁରଜ ପଞ୍ଚୋଲି ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଉ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓରେ ଜିଆ ଖାନଙ୍କ ମମି ରବୀନା ଅମିନ ପ୍ରଥମେ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ଏବଂ ପରେ କହିଛନ୍ତି ଯେ ବଲିଉଡରେ ଏହି ଦାଦାଗିରିଙ୍କ ବିରୋଧରେ ସମସ୍ତେ ଜାଗ୍ରତ ହେବା ଉଚିତ୍। ଭିଡିଓରେ ରବୀନା କହିଛନ୍ତି, ‘ବଲିଉଡକୁ ବର୍ତ୍ତମାନ ଜାଗ୍ରତ ହେବାକୁ ପଡ଼ିବ। ବଲିଉଡରେ ଏହି ଦାଦାଗିରିକୁ ଶେଷ କରିବାକୁ ପଡିବ । ମୁଁ କହିବାକୁ ଚାହେଁ ଯେ ବର୍ତ୍ତମାନ ଯାହା ଘଟୁଛି ତାହା ମୋତେ ୨୦୧୫ ର କଥାକୁ ମନେପକେଇ ଦେଇଛି । ମୋତେ ଲଣ୍ଡନର ଜଣେ ସିବିଆଇ ଅଧିକାରୀ ଡାକିଥିଲେ। ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି, ସେ ମୋତେ କହିଥିଲେ ଯେ ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି,ଆପଣ ଆସନ୍ତୁ । ମୁଁ ସେଠାରେ ପହଞ୍ଚିବା ପରେ ସେ ମୋତେ କହିଲେ ଯେ , ‘ସଲମାନ ଖାନ ମୋତେ ଡାକିଥିଲେ। ସେ ମୋତେ ପ୍ରତିଦିନ ଫୋନ୍ କରି କୁହନ୍ତି ଯେ ସେ ବହୁତ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଦୟାକରି ସୁରଜ ପାଞ୍ଚୋଲିକୁ ହଇରାଣ କରନ୍ତୁ ନାହିଁ ଏବଂ ପଚରାଉଚରା କରନ୍ତୁ ନାହିଁ । ତେବେ ଆମେ କଣ କରିପାରିବା, ମ୍ୟାଡାମ୍? ସେ ବହୁତ ହତାଶ ଦେଖାଯାଉଥିଲେ, ମୁଁ ଏହି ମାମଲା ଦିଲ୍ଲୀରେ ବସିଥିବା ବରିଷ୍ଠ ସିବିଆଇ ଅଧିକାରୀଙ୍କ ନିକଟକୁ ନେଇଥିଲି ଏବଂ ମୁଁ ମଧ୍ୟ ଏହା ଉପରେ ଅଭିଯୋଗ କରିଥିଲି। ଏହି ଉପାୟରେ ମୃତ୍ୟୁ ଏବଂ ଅନୁସନ୍ଧାନକୁ ପ୍ରଭାବିତ କରିବା ପାଇଁ ଯଦି ତୁମେ ଟଙ୍କା ଏବଂ ତୁମର ଶକ୍ତି ବ୍ୟବହାର କରିବ, ତେବେ ମୁଁ ନାଗରିକ ଭାବରେ କୁଆଡେ ଯିବି ତାହା ମୁଁ ବୁଝି ପାରୁନାହିଁ । କିଏ କାହା ପାଖକୁ ଯିବ? ମୁଁ କେବଳ କହିବାକୁ ଚାହେଁ ଯେ ଠିଆ ହୁଅ, ଯୁଦ୍ଧ କର, ପ୍ରଦର୍ଶନ କର ଏବଂ ବଲିଉଡର ଏହି ବିଷାକ୍ତ ଆଚରଣକୁ ସମାପ୍ତ କର । ତେବେ ୨୦୧୩ ରେ ଜିଆ ଖାନ ମାତ୍ର ୨୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ତଦନ୍ତ ପରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଥିଲେ । ହେଲେ ଏବେ ବି ତାଙ୍କର ଆତ୍ମହତ୍ୟା ରହସ୍ୟ ଘେରରେ ରହିଯାଇଛି ।