Trending

କରୋନା ପାଇଁ ଫିକା ପଡିବ ଏହି ବର୍ଷର ହୋଲି





ଭୁବନେଶ୍ୱର: ଭାରତୀୟ ଗୌରବମୟ ପରମ୍ପରା, ଭାଇଚାରା ଓ ବନ୍ଧୁତ୍ୱକୁ ପୁନଃଜୀବିତ କରିବାର ମହାର୍ଘ୍ୟ ଅବସର ହୋଲି । ହୋଲିରେ ପରସ୍ପର ଦେହରେ ଅବିର ଓ ରଙ୍ଗ ବୋଲି ଉତ୍ସବ ପାଳନ କରାଯାଏ । ଗାଁ ଠାରୁ ସହର ପର୍ଯ୍ୟନ୍ତ ସଭିଏଁ ବିପୁଳ ଆନନ୍ଦ ଉଲ୍ଲାସର ସହ ରଙ୍ଗଖେଳରେ ମସ୍‌ଗୁଲ୍ ହୋଇଯାଆନ୍ତି । ରାସାୟନିକ ରଙ୍ଗର ପ୍ରଚଳନ ପୂର୍ବରୁ ମନ୍ଦାର ପରି କେତେକ ଫୁଲ, ଜାମୁକୋଳି ଓ ବିଭିନ୍ନ ପ୍ରକାର ମସଲାକୁ ମିଶାଇ ରଙ୍ଗ ପ୍ରସ୍ତୁତ କରାଯାଉଥିଲା । ଏହା ପରିବେଶ ଅନୁକୂଳ ସହ ଶରୀର ପାଇଁ କ୍ଷତିକାରକ ନ ଥିଲା ।

ହୋଲିର ଲୋକପ୍ରିୟତା ବଢ଼ିବା ସହ ଏହି ଉତ୍ସବରେ ବ୍ୟବହାର କରାଯାଉଥିବା ବିଭିନ୍ନ କୃତ୍ରିମ, ଦାମୀ ଓ ଉଜ୍ଜ୍ୱଳ ରଙ୍ଗର ପାଶ୍ୱର୍ ପ୍ରତିକ୍ରିୟାମାନ ପରିଲକ୍ଷିତ ହେଉଛି । ଏହି ରଙ୍ଗଗୁଡ଼ିକରେ ପ୍ରଚୁର ପରିମାଣର ରାସାୟନିକ ପଦାର୍ଥ ଯଥା-ଅକ୍ସାଇଡ୍‌, ମରକ୍ୟୁରୀ ସଲ୍‌ଫାଇଟ୍ ଓ କପର୍ ସଲଫେଟ୍ ମିଶୁଛି । ଏହି ରଙ୍ଗ ଆଖି, ତ୍ୱଚା ଓ ଫୁସଫୁସ୍‌କୁ ନଷ୍ଟ କରିଦେଇପାରେ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । 

ତେଣୁ ବିଭିନ୍ନ ପ୍ରକାର ଜୈବିକ ଓ ଘରେ ପ୍ରସ୍ତୁତ ହେଉଥିବା ରଙ୍ଗ ଖେଳି ଆମେ ହୋଲି ପାଳନ କରିପାରିବା । ଏହା ସାଧାରଣ ରଙ୍ଗ ଠାରୁ ଅଳ୍ପ କିଛି ଅଧିକ ଦାମ୍‌ରେ ମାର୍କେଟ୍‌ରେ ଉପଲବ୍ଧ । 

ହୋଲି ଖେଳିବା ବେଳେ ତ୍ୱଚା ଓ କେଶକୁ ରକ୍ଷା କରିବା ପାଇଁ ଉପଯୁକ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବା ଉଚିତ୍ । 

ଯେହେତୁ ହୋଲି ବାହାରେ ଖେଳାଯାଇଥାଏ ସେଥିପାଇଁ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ କିରଣ ସମ୍ପର୍କରେ ଆସିବାକୁ ପଡ଼ିଥାଏ । ଅତି ବାଇଗଣୀ (ୟୁଭି) ରଶ୍ମୀ ସଂଷ୍ପର୍ଶରେ ଆସିବା ଫଳରେ ତ୍ୱଚାରୁ ନମନୀୟତା ଦୂରେଇ ଯାଇ ଶୁଷ୍କ ହୋଇଯାଇଥାଏ । ହୋଲି ଖେଳିବା ପରେ ତ୍ୱଚା ରୁକ୍ଷ ଓ କଠିନ ହୋଇଯାଏ । 

ତେଣୁ ରଙ୍ଗ ଖେଳିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ଶରୀରରେ ସନ୍‌ସ୍କ୍ରିନ୍ ଲୋସନ (ଏସ୍‌ପିଏଫ୍‌-୨୦) ଲଗାଇବାକୁ ସୌନ୍ଦର୍ଯ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଯଦି ତ୍ୱଚା ଅଧିକ ରୁକ୍ଷ ଥାଏ ତେବେ ପ୍ରଥମେ ସନ୍‌ସ୍କ୍ରିନ୍ ଲୋସନ ଲଗାନ୍ତୁ । କିଛି ସମୟ ପରେ ମଏଶ୍ଚରାଇଜର ଲଗାଇଲେ ସୁଫଳ ମିଳିବ । 

ସେହିପରି କେଶ ପାଇଁ କଣ୍ଡିସନର୍ କିମ୍ବା ହେୟାର୍ ସେରମ୍ ଲଗାଇଲେ ସୁଫଳ ମିଳିଥାଏ । ଏଥିସହ ଶୁଦ୍ଧ ନଡ଼ିଆ ତେଲ ଲଗାଇଲେ ଶୁଷ୍କତାର ରକ୍ଷା ମିଳିଥାଏ । 

ହୋଲି ଖେଳିଲାବେଳେ ଟ୍ରାନ୍ସପ୍ୟାରେଂଟ ନେଲ୍‌ପଲିସ ଲଗାଇଲେ ଭଲ । ଏହାଦ୍ୱାରା ନଖରେ ରଙ୍ଗ ଆଦୌ ଲାଗି ନ ଥାଏ । 

ହୋଲି ଖେଳିସାରିବା ପରେ ରଙ୍ଗ ଛଡ଼ାଇବା ସବୁଠାରୁ କଷ୍ଟକର ହୋଇଥାଏ । ଏଥିପାଇଁ ପ୍ରଥମେ ମୁହଁରେ ପ୍ରଚୁର ପାଣି ଢ଼ାଳନ୍ତୁ । ଏହାପରେ କ୍ରିମ୍ କିମ୍ବା ଲୋସନ ଲଗାଇ ସଫା କରନ୍ତୁ । ଏହାପରେ ସୁତା ଟାୱେଲ୍‌ରେ ପୋଛି ସଫା କରନ୍ତୁ । ମୁହଁ ଧୋଇବାବେଳେ ଆଖି ଚାରିପାଖରେ ଆସ୍ତେ ଆସ୍ତେ ସଫା କରନ୍ତୁ । ଏ କ୍ଷେତ୍ରରେ କ୍ଲିନ୍‌ଜିଂ ଜେଲ୍‌ର ବ୍ୟବହାର କରିପାରିବେ । ଅଧା କପ୍ ଥଣ୍ଡା କ୍ଷୀର, ଗୋଟିଏ ଚାମଚ ରାଶି, ଅଲିଭ୍ କିମ୍ବା ସୂର୍ଯ୍ୟମୁଖୀ ତେଲକୁ ଏକ ପାତ୍ରରେ ଭଲ ଭାବେ ମିଶାଇ କ୍ଲିନ୍‌ଜିଂ ପ୍ରସ୍ତୁତ କରିପାରିବେ । ଏହା କେବଳ ରଙ୍ଗ ଛଡ଼ାଇବାରେ ସାହାଯ୍ୟ କରେନାହିଁ, ବରଂ ତ୍ୱଚାକୁ ସୁରକ୍ଷା ଦେଇଥାଏ । କେଶ ଧୋଇଲାବେଳେ ପ୍ରଥମେ ସଫା ପାଣିରେ ଧୁଅନ୍ତୁ । ଶୁଖିଲା ରଙ୍ଗ ଛାଡ଼ିଯିବା ପରେ ହର୍ବାଲ୍ ସାମ୍ପୋ ସାହାଯ୍ୟରେ ଧୋଇ ସଫା କରନ୍ତୁ ।  

ଗାଧୋଇଲା ବେଳେ ଶରୀରକୁ ଲୁଫା କିମ୍ବା ସୁତା ଟାୱେଲ୍ ସାହାଯ୍ୟରେ ଧୀରେ ଧୀରେ ଘଷି ରଙ୍ଗ ଛଡ଼ାନ୍ତୁ । ଗାଧୋଇ ସାରିବା ପରେ ଦେହ ଓ ମୁହଁରେ ମଏଶ୍ଚରାଇଜର ଲଗାଇବାକୁ ଭୁଲନ୍ତୁ ନାହିଁ । ଏହା ତ୍ୱଚାରେ ନମନୀୟତା ଫେରାଇବାରେ ସହାୟକ ହୋଇଥାଏ । ଯଦି ତ୍ୱଚା ଜଳାପୋଡ଼ା ହୁଏ ତେବେ ଏକ ମଗ୍‌ରେ ଦୁଇ ଚାମଚ ଭିନେଗାର ମିଶାଇ ଲଗାନ୍ତୁ । ଯଦି ଏହାପରେ ବି ଜଳାପୋଡ଼ା ନ କମେ ତେବେ ରଙ୍ଗ ଆଲର୍ଜି ଯୋଗୁ ହୋଇଥାଇପାରେ । ଏପରି ସ୍ଥିତିରେ ତୁରନ୍ତ ଜଣେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ହୋଲି ପରଦିନ ଏକ ପାତ୍ର ଦୁଇ ଚାମଚ ମହୁ ସହ ଅଧା ଚାମଚ ଦହି ନିଅନ୍ତୁ । ସେଥିରେ ଅଳ୍ପ ଟିକେ ହଳଦୀ ମିଶାଇ ଗୋଳାନ୍ତୁ । ଏହି ମିଶ୍ରଣକୁ ମୁହଁ, ବେକ ଓ ହାତରେ ଲଗାନ୍ତୁ । ୨୦ ମିନିଟ୍ ପରେ ଧୋଇଦିଅନ୍ତୁ । ଏହା ତ୍ୱଚାକୁ ନମନୀୟ କରିଥାଏ । 

ଆନନ୍ଦ ଉଲ୍ଲାସର ସହ ସୁରକ୍ଷିତ ଭାବେ ହୋଲି ଖେଳନ୍ତୁ । 

ଏହା ଯେପରି ଆପଣଙ୍କ ସ୍ମୃତିକୁ ଫିକା କରି ନ ଦିଏ କିମ୍ବା ଖୁସିରେ ଭଟ୍ଟା ନ ପକାଏ ସେଥିପ୍ରତି ଯଥେଷ୍ଟ ସତର୍କ ରୁହନ୍ତୁ ।


Tags

Related Articles

Back to top button
Close