Trending

ଚତୁର୍ଦ୍ଧାମୂର୍ତିଙ୍କ ଦିବ୍ୟସ୍ନାନ, ଏବର୍ଷ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା





ମହାପ୍ରଭୁ ଶ୍ରୀଜଗନ୍ନାଥ ବିଶ୍ୱର ଠାକୁର । ସେ ବିଶ୍ୱନିୟନ୍ତା । ପ୍ରତି ଓଡ଼ିଆଙ୍କ ଆରାଧ୍ୟ ଦେବତା । 

ଶ୍ରୀମନ୍ଦିରରେ ତାଙ୍କ ରୀତିନୀତି ଅନନ୍ୟ ଯାହା ଅନ୍ୟ ପୃଥିବୀର ଅନ୍ୟ କୌଣସି ମନ୍ଦିର ସହ ସାମଞ୍ଜସ୍ୟ ରଖେନାହିଁ ।୧୨ ମାସରେ ତାଙ୍କର ୧୩ ପର୍ବ । ଉଷା କାଳରୁ ରାତ୍ରିରେ ଶୟନ ପର୍ଯ୍ୟନ୍ତ ଚତୁର୍ଦ୍ଧାମୂର୍ତିଙ୍କ ପ୍ରତ୍ୟେକ ନୀତି ବୈଶିଷ୍ଟ୍ୟମୟ । 

ପ୍ରତି ପର୍ବପର୍ବାଣି ଓ ଉତ୍ସବରେ ମାନବୀୟ ଲୀଳାଖେଳା ପ୍ରଦର୍ଶିତ ହୋଇଥାଏ । ଏହି ଯାତ୍ରା ମଧ୍ୟରୁ ପବିତ୍ର ସ୍ନାନଯାତ୍ରା ବା ଦେବସ୍ନାନ ଯାତ୍ରା ଅନ୍ୟତମ । ଏହି ଯାତ୍ରା ଜ୍ୟେଷ୍ଠପୂର୍ଣ୍ଣିମା ତିଥିରେ ଅନୁଷ୍ଠିତ ହୋଇଥାଏ । 

ଶ୍ରୀମନ୍ଦିରରେ ସମସ୍ତ ଉତ୍ସବରେ ମହାପ୍ରଭୁଙ୍କ ପ୍ରତିନିଧି ବିଜେପ୍ରତିମା ବିଜେ କରୁଥିବା ବେଳେ କେବଳ ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରାରେ ଭକ୍ତଙ୍କ ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥାନ୍ତି ଚତୁର୍ଦ୍ଧାମୂର୍ତି । ଶ୍ରୀଜିଉଙ୍କୁ ଦେଖି ଭକ୍ତ ତଲ୍ଲୀନ ହୋଇଥାଏ । ବର୍ଷସାରା ଠାକୁରମାନଙ୍କ ଦର୍ପଣ ସ୍ନାନ ହେଉଥିବାବେଳେ ସ୍ନାନ ପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ମନ୍ତ୍ରିତ ଗରାଜଳରେ ସ୍ନାନ କରାଯାଇଥାଏ ।

ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଥିବା ସ୍ନାନମଣ୍ଡପ ବା ସ୍ନାନବେଦୀକୁ ସୁସଜ୍ଜିତ କରାଯାଇଥାଏ । ମଙ୍ଗଳାର୍ପଣରେ ଠାକୁରମାନଙ୍କ ଡୋର ଲାଗି ନୀତି ହୋଇଥାଏ । ଘଂଟ, କାହାଳୀ ଓ ବାଦ୍ୟ ବାଜିବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନମଣ୍ଡପକୁ ବିଜେ କରନ୍ତି ଦଇତାପତିମାନେ । ସ୍ନାନବେଦୀରେ ବଡ ଠାକୁରଙ୍କ ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅଧରପୋଛା, ଅବକାଶ ବେଶ, ଦ୍ୱାରପାଳପୂଜା, ସୂର୍ଯ୍ୟପୂଜା ଇତ୍ୟାଦି ନୀତି ଅନୁଷ୍ଠିତ ହୁଏ ।

୧୦୮ ଗରା ଜଳରେ ସ୍ନାନ: 

ପୂର୍ବରୁ ସୁନା ଗୋସାଇଁ ଓ ମୁଦିରସ୍ତଙ୍କଦ୍ୱାରା ସୁନା କୂଅରୁ ଅଣାଯାଇଥିବା ୧୦୮ ଗରା ଅଭିମନ୍ତ୍ରିତ ଜଳକୁ ଅଧିବାସ ଗୃହରୁ ମଣ୍ଡପକୁ ଅଣାଯାଏ । ସମସ୍ତ ଗରାରେ ଥିବା ଜଳରେ ଚନ୍ଦନ, କେଶର, କର୍ପୂର, ଚୁଆ, ହରିତାଳ, ବାହାଡ଼ା, ଅଗୁର, ଅଷ୍ଟଗନ୍ଧ ଇତ୍ୟାଦି ମିଶ୍ରିତ ହୋଇ ଯଥାବିଧି ପୂଜାକାର୍ଯ୍ୟ ହୋଇଥାଏ । ଠାକୁରମାନଙ୍କର ଷୋଡଶ ଉପଚାର ପୂଜା ବଢ଼ିବା ପରେ ଗରାବଡୁ ସେବକମାନେ ଜଳଗରାରେ ଜଳକୁ ନେଇ ପ୍ରତିବାଡର ମେକାପ ଧରିଥିବା ରୂପାପିଙ୍ଗଣରେ ଢାଳନ୍ତି । ପୂଜାପଣ୍ଡାମାନେ ସେହି ଜଳରେ ଠାକୁରମାନଙ୍କୁ ଜଳଲାଗି କରାନ୍ତି । ପୂଜା କରାଯାଇଥିବା ୧୦୮ ଗରା ଜଳମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଜଳ, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥାଏ । 

ସ୍ନାନ ପରେ ଗୋପାଳ ତୀର୍ଥମଠରୁ ଆସିଥିବା ଦୁଇ ବାଡ଼ ଓ ରାଘବ ଦାସ ମଠରୁ ଆସିଥିବା ଦୁଇ ବାଡ଼ ଉପକରଣରେ ଯଥାକ୍ରମେ ‘ବଳଭଦ୍ର ଓ ସୁଦର୍ଶନ’ ଓ ‘ଜଗନ୍ନାଥ ଓ ସୁଭଦ୍ରା’ଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ । ଏହି ବେଶରେ ଶ୍ରୀବଳଭଦ୍ର ଧବଳ ବେଶରେ ଓ ଶ୍ରୀଜଗନ୍ନାଥ କଳାଗଣେଶ ରୂପରେ ଶୋଭାପାଆନ୍ତି । 

ଏହାପରେ ରାତିରେ ଶ୍ରୀଜିଉମାନଙ୍କୁ ରତ୍ନସିଂହାସନକୁ ଅଧିଷ୍ଠିତ କରାନଯାଇ ଏକାନ୍ତ ଭାବେ ଅଣସର ଘରେ ୧୫ ଦିନ ରଖି ଗୁପ୍ତବିଧି ଅନୁଯାୟୀ ପୂଜା କରାଯାଏ । ଅଣସର ଦିନରେ ସର୍ବସାଧାରଣଙ୍କୁ ଦର୍ଶନ ନିଷେଧ କରାଯାଏ । କେବଳ ସ୍ୱତନ୍ତ୍ର ଦଇତାପତିମାନେ ଏହି ଗୁପ୍ତ ପୂଜା କରିଥାନ୍ତି । ସ୍ନାନଜନିତ ଜ୍ୱର ଯୋଗୁ ଠାକୁରମାନେ ଜ୍ୱରରେ ପଡ଼ନ୍ତି । ଅଣସର ଘରେ ସେମାନଙ୍କୁ ପୂର୍ଣ୍ଣ ବିଶ୍ରାମ ଦିଆଯିବା ସହ ଚିକିତ୍ସା କରାଯାଇଥାଏ । ଏହି ସମୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ପଟ୍ଟଚିତ୍ର ପୂଜା ପାଆନ୍ତି ।

ଗଜାନନ ବେଶ କାହିଁକି:

ଗଜାନନ ବେଶକୁ କେତେକ ହାତୀ ବେଶ ବୋଲି ମଧ୍ୟ କହିଥାନ୍ତି । ଏହି ବେଶ ପଶ୍ଚାତ୍‌ରେ ଏକ ସୁନ୍ଦର କିମ୍ବଦନ୍ତୀ ରହିଛି । ପଂଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ଶ୍ରୀ ଗଣପତି ଭଟ୍ଟ ନାମକ ଜଣେ ଯାତ୍ରୀ ଶ୍ରୀକ୍ଷେତ୍ର ଆସିଥିଲେ । ସେ ଥିଲେ ଗଣପତି ଉପାସକ । ସେ ଯେଉଁଦିନ ଶ୍ରୀମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ସେଦିନ ଥିଲା ଦେବସ୍ନାନ ପୂର୍ଣ୍ଣିମା । ମହାପ୍ରଭୁଙ୍କ ସ୍ନାନ ଚାଲିଥାଏ । ସେ ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତିଙ୍କୁ ଦେଖି ବିସ୍ମିତ ହୋଇଗଲେ । ଜଗନ୍ନାଥଙ୍କ ଠାରେ ସେ ନିଜ ଆରାଧ୍ୟ ଦେବତା ଗଣପତିଙ୍କୁ ଖୋଜିଲେ, କିନ୍ତୁ ପାଇଲେ ନାହିଁ । ଏଥିରେ ନିରାଶ ହୋଇ ସେ ଚାଲିଯାଇ ଅଠରନଳା ନିକଟରେ ବିଶ୍ରାମ ନେଲେ । 

ଏହି ସମୟରେ ମହାପ୍ରଭୁ ତାଙ୍କୁ ସ୍ୱପ୍ନାଦେଶ ଦେଲେ । ଶ୍ରୀମନ୍ଦିରକୁ ଫେରିଯାଇ ଗଣପତିଙ୍କୁ ଦର୍ଶନ କରିବାକୁ କହିଲେ । ଏହାପରେ ଗଣପତି ଶ୍ରୀମନ୍ଦିର ଅଭିମୁଖେ ଫେରିଗଲେ । ଏପଟେ ପ୍ରଭୁ ବଡପଣ୍ଡାଙ୍କୁ ସ୍ୱପ୍ନାଦେଶ ଦେଇ ପରମଭକ୍ତ ଗଣପତିଙ୍କୁ ନିମନ୍ତ୍ରଣ କରି ଆଣିବାକୁ କହିଲେ । ଗଣପତି ସ୍ନାନମଣ୍ଡପରେ ପହଂଚି ଦେଖିଲେ ପ୍ରଭୁ ଗଜାନନ ବେଶରେ ବସିଛନ୍ତି । ସେ ପ୍ରଭୁଙ୍କ ପାଦତଳେ ପଡ଼ି ଯାଇ କହିଲେ ଧନ୍ୟ ମହାପ୍ରଭୁ! ସେହି ସ୍ମୃତିରେ ପ୍ରତିବର୍ଷ ସ୍ନାନମଣ୍ଡପରେ ଏହି ବେଶ ହୋଇଥାଏ ।

ଏହି ଦିନ ମହାରାଜ ଇନ୍ଦ୍ରଦ୍ୟୁମ୍ନ ସ୍ୱପ୍ନାଦେଶ ପାଇ ବାଙ୍କିମୁହାଣରୁ ଦାରୁ ଆଣି ଗୁଣ୍ଡିଚାଙ୍କ ଉଆସର କୋଠରୀରେ ରଖି ବିଶ୍ୱକର୍ମାଙ୍କ ଦ୍ୱାରା ମୂର୍ତି ନିର୍ମାଣ ଆରମ୍ଭ କରିଥିଲେ ବୋଲି ପୌରାଣିକ ମତବାଦ ରହିଛି । ତେଣୁ ଏହି ଦିବସ ମହାପ୍ରଭୁଙ୍କ ଆବିର୍ଭାବ ଦିବସ ବା ଜନ୍ମଦିବସ ଅଟେ ।

ସ୍ନାନମଣ୍ଡପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ପ୍ରାପ୍ତି ହେବା ସହ ପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ଦର୍ଶନର ଫଳ ଏକତ୍ର ମିଳିଥାଏ ବୋଲି ବିଶ୍ୱାସ ରହିଛି । 

ଭକ୍ତ ବିନା ସ୍ନାନଯାତ୍ରା: 

ତେବେ ଚଳିତ ବର୍ଷ ସ୍ନାନଯାତ୍ରା ଓ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଗଜାନନ ବେଶ ଦର୍ଶନ କରିପାରିବେ ନାହିଁ ଭକ୍ତ । କରୋନା ମହାମାରୀ ଜନିତ ଲକ୍‌ଡାଉନ୍ କାରଣରୁ ଶ୍ରୀମନ୍ଦିର ଗତ ଦୁଇମାସରୁ ଅଧିକ ସମୟ ଧରି ବନ୍ଦ ରହିଛି । ପୁଣି ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରାଯାଇଛି । କୋଭିଡ୍‌-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ସ୍ୱାବ୍ ଟେଷ୍ଟ ପରେ ନେଗେଟିଭ୍ ରିପୋର୍ଟ ପାଇଥିବା ସେବାୟତ ଓ ଦଇତାପତିମାନେ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭାଗ ନେବେ । ତେଣୁ ଏବର୍ଷ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ ତ ଦୂରର କଥା ବଡ଼ଦାଣ୍ଡରେ ଠିଆ ହୋଇ ନିଜର ପ୍ରିୟ ଦେବତାଙ୍କ ଦିବ୍ୟସ୍ନାନ ଓ ଗଜାନନ ବେଶ ଦର୍ଶନ କରିପାରିବେ ନାହିଁ । ଅନ୍ୟପକ୍ଷରେ ଭକ୍ତଙ୍କ ପାଇଁ ରାଜ୍ୟ ସରକାର ସ୍ନାନଯାତ୍ରାର ସିଧା ପ୍ରସାରଣ ବ୍ୟବସ୍ଥା କରିଛନ୍ତି । ଶ୍ରଦ୍ଧାଳୁମାନେ ଘରେ ରହି ବିଭିନ୍ନ ଟିଭି ଚ୍ୟାନେଲ୍‌ରେ ଚତୁର୍ଦ୍ଧାମୂର୍ତିଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିପାରିବେ । 


Tags

Related Articles

Back to top button
Close