ଓଡ଼ିଶା ଆଜି ସ୍ୱତନ୍ତ୍ର, ସମୃଦ୍ଧ ଓ ସ୍ୱାଭିମାନର ପଥରେ ଅଗ୍ରସର ହେଉଛି ।
ଏହା ପଛରେ ରହିଛି ଦୀର୍ଘ ସଂଗ୍ରାମର ଫଳଶ୍ରୁତି ।
୧୫୭୬ରେ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ ଗୋହିରାଟିକିରି ଯୁଦ୍ଧରେ ମୋଗଲମାନଙ୍କ ଠାରୁ ହାରି ଯାଇଥିଲେ । ସେହିଦିନ ଓଡ଼ିଶାର ରାଜନୈତିକ ଅସ୍ତିତ୍ୱ ଲୋପ ପାଇବା ସହ ସ୍ୱାଧୀନ ସୂର୍ଯ୍ୟ ଅସ୍ତମିତ ହୋଇଗଲା । ଏହାପରେ ଆଫଗାନ୍, ମୋଗଲ, ମରହଟ୍ଟା ଓ ଇଂରେଜମାନଙ୍କ ଦ୍ୱାରା ଓଡ଼ିଶା ଶାସିତ ହେଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଦଖଲ କରିଥିଲେ ।
ଏହାର ଠିକ୍ ୧୦୦ ବର୍ଷ ପରେ ୧୯୦୩ରେ ଉତ୍କଳ ସମ୍ମିଳନୀ ଗଠନ ହୋଇଥିଲା । ଏହା ମାଧ୍ୟମରେ ପାରଳା ମହାରାଜାଙ୍କ ଉଦ୍ୟମରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହେଲା । ୧୯୩୧ରେ ଲଣ୍ଡନର ଗୋଲ୍ଟେବୁଲ୍ ବୈଠକରେ ପାରଳା ମହାରାଜା ଓଡ଼ିଶାର ସ୍ୱତନ୍ତ୍ରତା ପାଇଁ ଯୁକ୍ତି ଉପସ୍ଥାପନ କରି ସଫଳ ହୋଇଥିଲେ ।
୧୯୩୨ ଡିସେମ୍ବର ୨୪ ତାରିଖରେ ସାମୁଏଲ୍ ହୋର୍ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ବୋଲି ବିଧିବଦ୍ଧ ଘୋଷଣା କରିଥିଲେ ।
୧୯୩୬ ମସିହା ଏପ୍ରିଲ୍ ୧ ତାରିଖରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା । ଭାଷା ଭିତିରେ କୌଣସି ପ୍ରଦେଶ ଗଠନ ହେବାରେ ପ୍ରଥମ ଗୌରବ ଲାଭ କଲା ଓଡ଼ିଶା । ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନବଗଠିତ ପ୍ରଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ । ଜନ୍ ଅଷ୍ଟିନ୍ ହବାକ୍ ଓଡ଼ିଶା ପ୍ରଦେଶର ପ୍ରଥମ ଗଭର୍ଣ୍ଣର ଭାବେ ଶପଥ ଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶାରେ ପ୍ରଥମେ ୬ଟି ଜିଲ୍ଲା ଯଥା-କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମ ଥିଲା । ସେତେବେଳେ ଏହାର ରାଜଧାନୀ ଥିଲା କଟକ ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଯେଉଁମାନଙ୍କ ନେତୃତ୍ୱ ଓ ତ୍ୟାଗ ଜଡ଼ିତ ସେମାନେ ହେଲେ ଚିରସ୍ମରଣୀୟ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ବାସୁଦେବ ସୁଢ଼ଳଦେବ ଏବଂ ରାଧାନାଥ ରାୟ ।
୧୯୪୮ ଓ ୧୯୪୯ରେ ୨୪ଟି ଗଡ଼ଜାତ ରାଜ୍ୟ ଓଡ଼ିଶାରେ ମିଶ୍ରଣ ହୋଇଥିଲେ । ପରବର୍ତୀ ସମୟରେ ଓଡ଼ିଶାରେ ୧୩ ଓ ଏବେ ୩୦ଟି ଜିଲ୍ଲା ସୃଷ୍ଟି ହୋଇଛି ।
୨୦୧୦ ନଭେମ୍ବର ୯ ତାରିଖର ଭାରତର ସଂସଦରେ ଓଡ଼ିଶା ନାମ ପରିବର୍ତନ ବିଲ୍ ଗୃହୀତ ହୋଇଛି । ଇଂରାଜୀରେ ଏହାର ନାମ ‘ଓରିସା’ରୁ ଓଡ଼ିଶା ଓ ଏହାର ଭାଷା ‘ଓରିୟା’ରୁ ଓଡ଼ିଆ ହୋଇଛି ।
ଇତିମଧ୍ୟରେ ବିତିଯାଇଛି ୮୪ ବର୍ଷ ।
ଆଧୁନିକ ଓଡ଼ିଶା ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଛି । କଳା, ସାହିତ୍ୟ, ସଂସ୍କୃତିରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି । କ୍ରୀଡ଼ା, ବାଣିଜ୍ୟ, ଶିଳ୍ପ କାରଖାନା, କର୍ପୋରେଟ୍ ଜଗତରେ ଓଡ଼ିଆମାନେ ଆଉ ପଛରେ ନାହାନ୍ତି । ସର୍ବଭାରତୀୟ ସ୍ତରରେ ଓଡ଼ିଆ ଅସ୍ମିତାର ଜୟଗାନ ହୋଇଛି ।
ଦୁଃଖର ବିଷୟ ଚଳିତ ବର୍ଷ ପାଳନ ହେବନି ଉତ୍କଳ ଜନନୀର ଜନ୍ମଦିବସ । ମହାମାରୀ କରୋନା ଯୋଗୁ ସବୁ ଆୟୋଜନ ବନ୍ଦ ରଖିଛନ୍ତି ରାଜ୍ୟ ସରକାର ।
ଅତୀତରେ ବହୁ ଯୁଦ୍ଧ, ରକ୍ତପାତ ଓ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିଛନ୍ତି ସାହସୀ ଓଡ଼ିଆ । ଅନେକ ଘାତପ୍ରତିଘାତକୁ ଧୈର୍ଯ୍ୟର ସହ ଅତିକ୍ରମ କରିଛନ୍ତି । ଭାଙ୍ଗିପଡ଼ିନାହାନ୍ତି, ଦୁର୍ବଳ ହୋଇନାହାନ୍ତି କିମ୍ବା ହାରି ଯାଇନାହାନ୍ତି । ବରଂ ସକଳ ପ୍ରତିବନ୍ଧକକୁ ଦୂର କରି ପୁଣି ଅଂଟା ସଳଖି ଛିଡ଼ା ହୋଇଛି ଓଡ଼ିଆ ଜାତି ।
ବର୍ତମାନର ମହାମାରୀକୁ ବି ସଫଳତାର ସହ ମୁକାବିଲା କରୁଛି ଓଡ଼ିଶା । ଆମେମାନେ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିଲେ କରୋନା ବିରୋଧୀ ଲଢ଼େଇରେ ବିଜୟୀ ହେବା ।