ଓଡ଼ିଶାର ଜାତୀୟ ପର୍ବ ରଜ

ଓଡ଼ିଶାର ଜାତୀୟ ପର୍ବ ରଜ । ବସୁଧା, ପ୍ରକୃତି ମାତାକୁ ପୂଜା କରିବାର ମହାର୍ଘ୍ୟ ପରମ୍ପରା ରଜ । କୃଷିଭିତିକ ସାମାଜିକ ଚଳଣିରେ ଏକ ଗୁରୁତ୍ୱପୂର୍ଣ୍ଣ ମନୋରଞ୍ଜନର ଆସର ରଜ । ଉତ୍କଳୀୟ ସଂସ୍କୃତିର ଆନନ୍ଦ ଉଲ୍ଲାସ, ସର୍ବାଧିକ ଲୋକପ୍ରିୟ ଓ ବୈଶିଷ୍ଟ୍ୟମୟ ଅବସର ରଜ । ରଜପାନ, ପୋଡ଼ପିଠା, ରଜଦୋଳି ଏବଂ ଭ୍ରମଣର ପ୍ରିୟପର୍ବ ରଜ ।

ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ । ଧରିତ୍ରୀ ମାତାର ପୂଜାର୍ଚ୍ଚନା ନିମନ୍ତେ ଉଦ୍ଦିଷ୍ଟ ଏହି ତିନି ଦିନର ରଜପର୍ବ ସମୁଦାୟ ପାଂଚଦିନ (ରଜ ସଂକ୍ରାନ୍ତିର ପୂର୍ବ ଦୁଇଦିନ ଓ ପରବର୍ତୀ ଦୁଇଦିନ)ର କର୍ମବିଧି ପରମ୍ପରା ରହିଥାଏ ।

ପାଂଚଦିନ ମଧ୍ୟରୁ ପ୍ରଥମ ଦିବସକୁ ‘ସଜବାଜ’ କୁହାଯାଏ । ଏହି ଦିନ ଘରଦ୍ୱାର ପରିଷ୍କାର, କୃଷି କର୍ମରେ ବ୍ୟବହୃତ ଉପକରଣ ସଫା କରିବା, ନୂତନ ବସ୍ତ୍ର କିଣିବା, ପିଲାମାନଙ୍କ ପାଇଁ ଦୋଳି ଲଗାଇବା, ପୋଡ଼ପିଠା ଓ ଅନ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ପାଇଁ ପ୍ରସ୍ତୁତି ହୋଇଥାଏ । ଜ୍ୟେଷ୍ଠମାସର ଶେଷଦିନ ବା ମାସାନ୍ତକୁ ‘ପହିଲି ରଜ’ କୁହାଯାଏ । ତା ପରଦିନ ‘ରଜ ସଂକ୍ରାନ୍ତି’ । ଏହା ଆଷାଢ଼ ମାସର ପ୍ରଥମ ଦିବସ । ସଂକ୍ରାନ୍ତି ପରଦିନ ‘ଶେଷ ରଜ’ ବା ‘ଭୂଇଁ ନହଣ’ ପାଳିତ ହୋଇଥାଏ । ଏହିଦିନ ଭୂଇଁକୁ ଖୋଳିବା ନିଷିଦ୍ଧ । ଶେଷରେ ଆଷାଢ଼ ମାସର ତୃତୀୟ ଦିନ ‘ବସୁମତୀ ସ୍ନାନ’ ଅନୁଷ୍ଠିତ ହୋଇଥାଏ । ଏହା ଅତି ଗୁରୁତ୍ୱପୂର୍ଣ୍ଣ ବାର୍ତା ବହନ କରିଥାଏ । ଗ୍ରୀଷ୍ମ ଶେଷରେ ମୌସୁମୀ ବାୟୁର ଆଗମନ ପରେ ଆଦ୍ୟ ଆଷାଢ଼ରେ ଧରିତ୍ରୀ ରଜସ୍ୱଳା ହୋଇଥାଏ । ଆଷାଢ଼ ମାସରେ ସାଧାରଣତଃ ବର୍ଷାର ଆଗମନ ହୋଇଥାଏ । ଶୁଷ୍କ ଭୂମିରେ ବର୍ଷାର ପ୍ରଥମ ଅସରା ପଡ଼ିବା ମାତ୍ରେ ଏକ ପ୍ରଜନନ ଶକ୍ତି ଜାତ ହୁଏ । ସେଥିପାଇଁ ଏହି ସମୟରେ ବସୁଧା ରାଣୀକୁ ରଜସ୍ୱଳା ମହିଳା ସହିତ ତୁଳନା କରାଯାଏ ।

ରଜରେ କୁମାରୀ କନ୍ୟାମାନେ ରଜସ୍ୱଳା ନାରୀର କର୍ତବ୍ୟ ସମ୍ପାଦନ ପାଇଁ ଗୁରୁଜନ ଶ୍ରେଣୀର ମହିଳାଙ୍କ ଠାରୁ ତାଲିମ୍ ପାଆନ୍ତି । ଭୂଇଁରେ ଚାଲନ୍ତି ନାହିଁ କିମ୍ବା ତିନିଦିନ ପର୍ଯ୍ୟନ୍ତ ସ୍ନାନ କରନ୍ତି ନାହିଁ । ଲୁଣ ଖାଆନ୍ତି ନାହିଁ । ପିଠା ଓ ଫଳମୂଳ ଖାଇ ରହନ୍ତି । ପୂର୍ବରୁ ପୋଡ଼ପିଠା ପ୍ରସ୍ତୁତ ହୋଇ ରହିଥାଏ । ଚାଉଳ, ନଡ଼ିଆ, ଗୁଡ଼ ସହିତ ଅଦା, ଯୁଆଣି ଆଦି ମସଲା ସଂଯୋଗରେ ପ୍ରସ୍ତୁତ ପୋଡ଼ପିଠା ବେଶ୍ ସୁସ୍ୱାଦୁ ଓ ଉପାଦେୟ । ଆମ ସଂସ୍କୃତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏହି ପୋଡ଼ପିଠା ପ୍ରତିଦିନ ଭୋଗ ହେବାର ପରମ୍ପରା ରହିଆସିଛି । ଏଥିସହ ରଜରେ ପୁରଦିଆ ରଜମଣ୍ଡା, ରଜକାକରା, ରଜଏଣ୍ଡୁରୀ, ରଜଆରିଶା ଆଦି ପ୍ରସ୍ତୁତ ହୋଇଥାଏ ।

ରଜରେ ନାରୀମାନଙ୍କୁ ଗୃହକର୍ମ ଜନିତ ଶ୍ରମରୁ ନିବୃତି ଦିଆଯାଇଥାଏ । ସେମାନେ ‘ସଜବାଜ’ ଦିନ ଆଗୁଆ ପରିବା କଟା, ବଛାକୁଟା, ପାଣିଅଣା, ବଟାବଟି, ରଜମୁଢ଼ି, ରଜପାନ ପ୍ରସ୍ତୁତ ସହ ପିଠାପାଇଁ ବଟାବଟି ଏବଂ କିଛି ପିଠାପଣା ଛଣା ଛଣିକରି ରଖି ଦେଇଥାଆନ୍ତି । ବାଳିକା, କିଶୋରୀ, ତରୁଣୀ, ଭୁଆସୁଣୀ ବା ବିବାହିତା ନାରୀମାନଙ୍କ ପାଇଁ ଏହା ଏକ ଆନନ୍ଦର ପର୍ବ । ସେମାନେ ନିଜକୁ ନୂଆବସ୍ତ୍ରରେ ସୁନ୍ଦର ଭାବରେ ସଜାଇ, ଅଳଙ୍କାର ପିନ୍ଧି ବନ୍ଧୁବାନ୍ଧବ ଓ ସାଙ୍ଗସାଥୀ ଘର ବୁଲିଥାନ୍ତି ରଜର ବଡ଼ ଆକର୍ଷଣ ମନୋରଞ୍ଜନ କାର୍ଯ୍ୟକ୍ରମ । ବୟସ୍କମାନେ ତାସ୍‌, କ୍ୟାରମ୍‌, ପଶା ଇତ୍ୟାଦିରେ ମାତିଥିବା ବେଳେ କିଶୋରମାନେ ଗାଁ ଦାଣ୍ଡରେ ବାଗୁଡ଼ି ତ’, ଯୁବକମାନେ ନାଟ, ତାମସା, ପାଲା, ସୁଆଙ୍ଗ, ଦାସକାଠିଆ ବା ଥିଏଟର ନେଇ ବ୍ୟସ୍ତ ଥାଆନ୍ତି ।

ସବୁଠୁ ଅଧିକ ଆକର୍ଷଣର କେନ୍ଦ୍ର ସାଜିଥାଏ କୁମାରୀମାନଙ୍କ ଦୋଳିଖେଳ ସାଙ୍ଗକୁ ଦୋଳିଗୀତ ଯାହାକି ବେଶ୍ ଉପଭୋଗ୍ୟ । ଦୋଳି ଖେଳିଲାବେଳେ ସେମାନେ ଓଡ଼ିଶାର ସାମାଜିକ ଚଳଣି, ଜନଜୀବନ, ପରମ୍ପରା ସମ୍ପର୍କରେ ଲୋକଗୀତ ଗାଇଥାନ୍ତି । ସେଗୁଡ଼ିକ ମଧ୍ୟରୁ କେତେକ ପଦ ଏହିପରି..

ବନସ୍ତେ ଡ଼ାକିଲା ଗଜ,

ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ ।….

ରଜ ଦୋଳି କଟକଟ,

ମୋ ଭାଇ ମୁଣ୍ଡରେ ସୁନା ମୁକୁଟ, ଦିଶୁଥାନ୍ତି ଝଟଝଟ ।….

କରୋନା ମହାମାରୀ ସଂକ୍ରମଣ ରୋକିବା ଓ ଲକ୍‌ଡାଉନ୍ କଟକଣା ଯୋଗୁ ଚଳିତ ବର୍ଷ ରଜ ପର୍ବ ଫିକା ପଡ଼ିଛି । ରଜ ଉତ୍ସବ ପାଳନ ପାଇଁ ପ୍ରଶାସନ ବାରଣ କରିଛି । ଏପରିକି ନୂଆ ପୋଷାକପତ୍ର କିଣିବା ପାଇଁ ଦୋକାନ ବଜାର ମଧ୍ୟ ସୀମିତ ସମୟ ପାଇଁ ଖୋଲୁଛି । ଏସବୁ ଭିତରେ ବି ଓଡ଼ିଶାବାସୀଙ୍କ ରଜ ପାଳନର ଆଗ୍ରହ କମିନାହିଁ । ବଡ଼ଧରଣର ଉତ୍ସବ ନ ହେଉ ପଛେ ନିଜ ଘରେ ପରିବାର ସଦସ୍ୟଙ୍କ ସହ ପିଠାପଣା ଓ ରଜପାନ ଖାଇ ରଜ ପାଳିତ ହେଉଛି ।