Trending

ମୃତ୍ୟୁର ଭୟ ଠାରୁ ଭୋକର ଚିନ୍ତା ମାରୁଛି





ପ୍ରତିଦିନ ମୂଲ ମଜୁରୀ ଲାଗି, ଇଟାଭାଟିରେ କାମ କରି, ନିର୍ମାଣ କାମରେ ସହାୟତା କରି ଓ ବାଲି ସିମେଂଟ ଫେଂଟି ଯାହା ମିଳୁଥିଲା ସେଥିରେ ଚୁଲି ଜଳୁଥିଲା । ହେଲେ କି କରୋନା ଆସିଲା ଯେ ସେମାନଙ୍କ ମୁହଁରୁ ଦାନା ଛଡ଼ାଇନେଲା । ଲକ୍‌ଡାଉନ୍ ଯୋଗୁ କାମଧନ୍ଦା ସବୁ ବନ୍ଦ । ଏବେ ଖାଇବେ କ’ଣ? ବଂଚିବେ କେମିତି? ପିଲାଛୁଆଙ୍କ ମୁହଁକୁ ଚାହିଁଲେ ଆଖିରେ ଲୁହ ରହୁନି । ବାହାରକୁ କାମ କରିବାକୁ ବାହାରିଲେ ପୁଲିସ ଡର । କରୋନା ମହାମାରୀ ଯୋଗୁ ସିନା ମୃତ୍ୟୁର ଭୟ ରହୁଛନ୍ତି । କିନ୍ତୁ ଏଠି ବଂଚି ଥାଉ ଥାଉ ଭୋକ ଚିନ୍ତା ଜୀବନ ନେବାକୁ ବସିଛି । ପ୍ରତି ମୁହୂର୍ତରେ ପ୍ରାଣ ହାରିବାକୁ ଇଚ୍ଛା ହେଉଛି । 

ଏହା କେବଳ ରାଜଧାନୀର ନନ୍ଦନ ବିହାର ଅଂଚଳର ଖଣି ବସ୍ତିରେ ରହୁଥିବା ସ୍ୱାମୀ ପରିତ୍ୟକ୍ତା ମହିଳା ରମାଙ୍କ କାହାଣୀ ନୁହେଁ । ସବୁ ଅସହାୟ ଓ ନିରାଶ୍ରିତଙ୍କ କଥା । ପୂର୍ବରୁ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିବା ରମା ଏବେ ୭ ବର୍ଷର ପୁଅ ରାଜ୍ ସହ ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି । କିଛି ଉପାୟ ନପାଇ ରାସ୍ତା କଡ଼ ନିମ୍ବ ଗଛରୁ କଢ଼ ତୋଳି ବିକ୍ରି କରୁଛନ୍ତି । ବାବୁ, ଆଉ ସଂଘର୍ଷ କରିପାରିବିନି । ବିଷ ଟିକିଏ ମିଳିଲେ, ଖାଇ ଆତ୍ମହତ୍ୟା କରିଦେବି । କି ପାପ କରିଥିଲୁ ଆମେ…. । ଏହା ଥିଲା ରମାଙ୍କ କ୍ଷୋଭ ଭରା ଅନ୍ତରର କଥା ।

କରୋନା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ଏପ୍ରିଲ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ବୃହତର ସ୍ୱାର୍ଥ ପାଇଁ ଏହା ସ୍ୱାଗତଯୋଗ୍ୟ ଓ ଜନହିତକର ନିଷ୍ପତି । କାରଣ ଭାଇରସ୍ ସଂକ୍ରମଣ ରୋକିବା ପାଇଁ ଏହା ହିଁ ହେଉଛି ସବୁଠାରୁ ବଡ଼ ଉପାୟ । ଏହି କଠୋର ପଦକ୍ଷେପ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ସମାଜର ଗରିବ ବର୍ଗର ଜନସାଧାରଣ । ସେମାନଙ୍କ ଲାଗି ସରକାର ୩ ମାସର ରେସନ ଓ ୪ ମାସର ଭତା ବ୍ୟବସ୍ଥା କରିଛନ୍ତି । 

କିନ୍ତୁ ଏହାଦ୍ୱାରା ରମାଙ୍କ ଭଳି ଖଟିଖିଆ ତଥା ଦିନ ମଜୁରିଆ ଶ୍ରେଣୀର ଲୋକମାନେ ବେଶୀ ପ୍ରଭାବିତ ହେଉଛନ୍ତି । ବାହାର ରାଜ୍ୟ ବା ଜିଲ୍ଲାରୁ ଆସି ଏଠାରେ ରହି କାମ କରୁଥିବା ଶ୍ରମିକ ବର୍ଗ ବି ଖାଇବାକୁ ପାଉନାହାନ୍ତି । ସେମାନଙ୍କ ସାହାଭରସା କେହି ନାହାନ୍ତି । ସେମାନଙ୍କ ପାଖରେ ରେସନ କାର୍ଡ କିମ୍ବା ବିପିଏଲ୍ କାର୍ଡ ନାହିଁ । ଅଧିକାଂଶ ଏବେ ଭୋକ ଉପାସରେ ହନ୍ତସନ୍ତ ହେଉଛନ୍ତି ।

ଲକ୍‌ଡାଉନ୍‌କୁ ଇତିମଧ୍ୟରେ ୧୫ ଦିନ ବିତିଥିଲାବେଳେ ନା ସେମାନଙ୍କ ପାଖରେ କାମ ଅଛି ନା ପଇସା । ଏମାନଙ୍କ ଲାଗି ସରକାର ଅଗ୍ରାଧିକାର ଭିତିରେ ଚିନ୍ତା କରିବା ଉଚିତ୍ । ଲକ୍‌ଡାଉନ୍ କାଳରେ ରୋଜଗାର ଦେବା ଲାଗି କେତେକ କ୍ଷେତ୍ରରେ କୋହଳ କରାଯିବା ଉଚିତ୍ । ଏସବୁ ବିଷୟରେ ସରକାର କିଛି ଚିନ୍ତା କରି ପଦକ୍ଷେପ ନେବା ଜରୁରୀ ।

ଉଲ୍ଲେଖଯୋଗ୍ୟ ଯେ, କରୋନା ଯୋଗୁ ଖାଇବାକୁ ନପାଇ ଭୁବନେଶ୍ୱର ନୀଳାଦ୍ରି ବିହାର ପଣ୍ଡା ପାର୍କ ଅଂଳଚରେ ଏକ ଦିନମଜୁରିଆ ଦମ୍ପତି ଗତକାଲି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଦୁହେଁ ମାନସିକ ଭାରସାମ୍ୟ ହରାଇ ଘର ନିକଟରେ ଏକ ଗଛରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଦେଖି ଉଦ୍ଧାର କରିଥିଲେ ।

ରାଜ୍ୟ ସରକାର ନିର୍ମାଣ ଶ୍ରମିକ, ରେସନ କାର୍ଡ ହିତାଧିକାରୀ ଓ ବୁଲା ବିକାଳୀଙ୍କୁ ସହାୟତା ପ୍ରଦାନ କଲେ । କିନ୍ତୁ ନିରାଶ୍ରିତଙ୍କ ପାଇଁ କିଛିନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସରକାରୀ ଜାଗାରେ ପଲିଥିନ୍ ଟାଣି କିମ୍ବା ଝୁମ୍ପୁଡ଼ିରେ ପରିବାର ସହ ରହୁଛନ୍ତି । ସେମାନଙ୍କୁ ରନ୍ଧା ଖାଦ୍ୟ କିମ୍ବା ଶୁଖିଲା ଖାଦ୍ୟ ଦିଆଯାଇନାହିଁ । ଫଳରେ ସମ୍ପୃକ୍ତ ପରିବାର ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ।

ପୂର୍ବରୁ ବହୁ ପ୍ରାକୃତିକ ବିପର୍ଯ୍ୟୟ ଆସିଛି । ଏହାକୁ ସାମ୍ନା କରିଛି ଅଭାବୀ, ବେସାହାରା ମଣିଷ । କିଛିଦିନ ବହୁ ହଇରାଣ ହରକତ ହୋଇଛନ୍ତି । ବିନା ଖାଦ୍ୟରେ ବର୍ଷା ଓ କାକରରେ ରହିଛନ୍ତି । ପୁଣି ଜୀବନ ସ୍ୱାଭାବିକ ହୋଇଛି । କିନ୍ତୁ କରୋନା ବର୍ତମାନ ସହ ଭବିଷ୍ୟତକୁ ବି ଅନିଶ୍ଚିତତା ଘେରକୁ ଠେଲିଦେଇଛି । ଜୀବନ ଏବେ ଦୁର୍ବିସହ ପାଲଟିଛି । କେବେ ସ୍ୱାଭାବିକ ହେବ ଜୀବନଯାତ୍ରା କେହି ଜାଣିନାହାନ୍ତି ।


Tags

Related Articles

Back to top button
Close