ଗୁଣ୍ଡିଚାମନ୍ଦିର ଆଗରେ ତିନି ରଥ : ଆସନ୍ତାକାଲି ଆଡପମଣ୍ଡପ ବିଜେ

ଶରଧାବାଲିରେ ପହଁଚିଲେ ତିନି ଠାକୁର | ପ୍ରଥମେ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ପରେ ଗେହ୍ଲି ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଯାଇ ପହଂଚିଲେ | ପଛରେ ଭକତଙ୍କ ଭାବରେ ବନ୍ଧା ଲୀଳାମୟ ଠାକୁର, ଜଗତର ନାଥ ଜଗନ୍ନାଥ ଲୀଳା ଖେଳା କରି ନନ୍ଦିଘୋଷ ରଥରେ ଯାଇ ପହଁଚିଲେ | କରୋନା କଟକଣା ସତ୍ୱେ ବିନା ଭକ୍ତରେ ତିନି ରଥ ଯାଇ ପହଁଚିଲେ ଗୁଣ୍ଡିଚା ମନ୍ଦିରର ସମୁଖରେ | ସେବାୟତ ଏବଂ ସୁରକ୍ଷାବାହିନୀଙ୍କ ସହାୟତାରେ ତିନି ରଥଙ୍କୁ ଟଣା ଯାଇଥିଲା | ଆଜି ନବ ଦିନାତ୍ମକ ଯାତ୍ରା କରିଛନ୍ତି ତିନି ଠାକୁର | ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବରଷରେ ଥରେ ପାଳିତ ହୁଏ ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା |

ବିଧି ମୁତାବିକ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ସକାଳ ୭ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ବିଜେ | ପ୍ରଥମେ ସୁଦର୍ଶନଙ୍କ ପହଣ୍ଡିବିଜେ ନୀତି ସଂପନ୍ନ ହୋଇଥିଲା | ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସର୍ବଶେଷରେ ବିଶ୍ୱ ନିଅନ୍ତା ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡିବିଜେ ନୀତି ସଂପନ୍ନ ହୋଇଥିଲା | ଶ୍ରୀଜୀଉଙ୍କ ପହଣ୍ଡି ବିଜେ ନୀତି ସରିବା ପରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନିକଟରେ ଛେରା ପହଁରା କରିଥିଲେ ଗଜପତି ମହାରାଜ। ପରମ୍ପରା ଅନୁଯାୟୀ,ଗଜପତି ମହାରାଜା ସୁନା ଖଡ଼ିକାରେ ତିନି ରଥ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା |

ବିଶ୍ୱରେ କରୋନା ମହାମାରୀ ଭିତରେ ପୁରୀରେ କଟକଣା ସହ ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ରାୟ ଦେବା ପରେ ସାଢେ ୪ କୋଟି ଓଡ଼ିଆଙ୍କ ମଧ୍ୟରେ ଖେଳି ଯାଇଥିଲା ଆନନ୍ଦର ଲହରୀ | ଭକ୍ତଙ୍କ ଆଖିର ଲୁହ ଜାହିର କରୁଥିଲା – ”କାଳିଆରେ କେବେ ତୋ ଦରଶନ ମିଳିବ, କେବେ ଏ ପାପ ନେତ୍ରକୁ ମୁକ୍ତି ମିଳିବ ” | ସ୍ୱଚକ୍ଷୁରେ ପ୍ରିୟ ଠାକୁରଙ୍କୁ ଦେଖିବାର ସୌଭାଗ୍ୟରୁ ବଞ୍ଚିତ ହୋଇଥିଲେ ବି ରଥଯାତ୍ରା ର ସିଧା ପ୍ରସାରଣ ଟିଭି ରେ ଦେଖିବାପରେ ଭକ୍ତଙ୍କ ମନକୁ ଏବେ ଅଶ୍ୱସ୍ତି ମିଳିଛି |