ଆନ୍ଧ୍ରପ୍ରଦେଶ: ଲକ ଡାଉନରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ କୌଣସି ପ୍ରକାରେ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି । ହେଲେ ଏଭଳି ସ୍ଥିତିରେ ପାଖରେ ପଇସା ନଥିବାକୁ ରାସ୍ତାରେ ଗଡ଼ୁନି ଗାଡି । ଗୋଟିଏ ପଟେ ପେଟର ଭୋକ ତ ଅନ୍ୟପଟେ ଭିଟାମାଟିର ମୋହ । କରିବେ କଣ କେମିତି ଯିବେ । ଲକଡାଉନ୍ ର ଏହା ହେଉଛି ସବୁଠାରୁ ସ୍ପର୍ଶକାତର ଚେହେରା । ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହି ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସୁଛନ୍ତି । ଏହିପରି ଦୁଇ ଯାଆଁଳା ଭାଇ ହେଉଛନ୍ତି ଆନ୍ଧ୍ରପ୍ରଦେଶ ପୁଟ୍ଟାପାର୍ଟୀର ରାମ ଏବଂ ଲକ୍ଷ୍ମଣ ।
ଲକ ଡାଉନ ପରେ ପୁଟ୍ଟାପାର୍ଟୀରେ ଫସିରହିଯାଇଥିଲେ କାଶ୍ମୀରର ପ୍ରାୟେ ୮୦ ଜଣ ପ୍ରବାସୀ ଶ୍ରମିକ । ନା ତାଙ୍କ ପାଖରେ ଥିଲା ପଇସା ନା ଥିଲା ଖାଇବା। କେବଳ ଭଗବାନଙ୍କ ଭରସାରେ ଦିନ କାଟୁଥିଲେ ପ୍ରବାସୀ ଶ୍ରମିକ। ଆଉ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲେ ଏହି ଦୁଇ ଯାଆଁଳା ଭାଇ ରାମ ରାଓ ଏବଂ ଲକ୍ଷ୍ମଣ ରାଓ ।
ଯେତେବେଳେ ୮୦ ଜଣ ପ୍ରବାସୀ ଶ୍ରମିକ ନିଜ ଭିଟାମାଟିକୁ ଯିବା ପାଇଁ ବାହାରିଲେ ସେତେବେଳେ, ସ୍ଥାନୀୟ ଅଧିକାରୀ କହିଥିଲେ ଯେ ସେମାନେ ହାଇଦ୍ରାବାଦରୁ ଉଦାମପୁର ପର୍ଯ୍ୟନ୍ତ ଟ୍ରେନ୍ ପାଇପାରିବେ। କାଶ୍ମୀର କର୍ମଚାରୀମାନେ ଏହା ଶୁଣି ଖୁସି ହୋଇଥିଲେ ମଧ୍ୟ ପୁଟ୍ଟାପାର୍ଟି ଠାରୁ ହାଇଦ୍ରାବାଦ ୪୩୬ କିଲୋମିଟର ଦୂରରେ। ପରେ ସ୍ଥାନୀୟ କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ ଯେ ସେମାନଙ୍କୁ ହାଇଦ୍ରାବାଦ ଯିବାକୁ ହେଲେ ନିଜଆଡୁ ବ୍ୟବସ୍ଥା କରିବାକୁ ପଡ଼ିବ। ବେସରକାରୀ ବସ୍ ଅପରେଟରଙ୍କ ମାଧ୍ୟମରେ ବସ୍ ବ୍ୟବସ୍ଥା କରିବା ବିଷୟରେ ଆଲୋଚନା କରାଯାଇଥିଲା, କିନ୍ତୁ ଶ୍ରମିକମାନଙ୍କୁ ଏଥିପାଇଁ ୧ .୮୨ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଥିଲା।
ସେମାନଙ୍କର ସମସ୍ୟା ଦେଖି ଦୁଇ ରାମ ଏବଂ ଲକ୍ଷ୍ମଣ ସ୍ଥାନୀୟ ପ୍ରଶାସନ, ବିଧାୟକଙ୍କ ସାମ୍ନାରେ ଏହି ପ୍ରସଙ୍ଗ ଉଠାଇଲେ। କିନ୍ତୁ ସେଠାରୁ କୌଣସି ପ୍ରତିକ୍ରିୟା ନ ମିଳିବା ପରେ ରାମ ଏବଂ ଲକ୍ଷ୍ମଣ ଏହି କାଶ୍ମୀରୀ ଶ୍ରମିକମାନଙ୍କୁ ନିଜେ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଏହି ଶ୍ରମିକମାନଙ୍କୁ ୧.୮୨ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଉପତ୍ୟକାରେ ପହଞ୍ଚିବା ପରେ ସେମାନେ ଏହି ପରିମାଣର ଟଙ୍କା ଫେରସ୍ତ କରିବେ ବୋଲି ଶ୍ରମିକମାନେ ପ୍ରତିଶୃତି ଦେଇଛନ୍ତି।
କାଶ୍ମୀରୀର ଶେଖ ତାରିକ ଧନ୍ୟବାଦ ଜଣାଇ କହିଛନ୍ତି ଯେ ,ଯଦି ଏହି ଦୁଇଜଣ ସାହାଯ୍ୟ ପାଇଁ ଆଗକୁ ଆସିନଥାନ୍ତେ , ତେବେ ଘରକୁ ଫେରିବା ଆମ ପାଇଁ କଷ୍ଟସାଧ୍ୟ ଥିଲା, ଏବେ ଆମେ ଘରେ ପହଞ୍ଚିବା ଆଶା କରୁଛୁ। ତାରିକ ଆହୁରି କହିଛନ୍ତି, “ସରକାର ଦୀର୍ଘ ଦିନ ଧରି ଦାବି କରନ୍ତି ଯେ ଶ୍ରମିକମାନଙ୍କୁ ମାଗଣା ପଠାଯାଉଛି। ଆମକୁ ତିନି ବସ୍ ପାଇଁ ୬୫ ,୦୦୦ ଟଙ୍କା ଦେବାକୁ କୁହାଯାଇଥିଲା। ଏଥିରେ ବସ୍ ଗୁଡିକର ଖାଲି ରିଟର୍ନ ଭଡା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲା । ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ ତିନୋଟି ବସ୍ ବ୍ୟବସ୍ଥା କରାଯାଇଥିଲା, ଯାହାକି ଆମ ମାନଙ୍କ ପାଇଁ ବହୁତ ମହଙ୍ଗା ଥିଲା ।