ସଂକ୍ରମଣ ମୁକ୍ତ କରିବା ପାଇଁ ବାୟୋ ବବଲ ବଳୟରେ ରହିବ ରଥଖଳା

ପୁରୀ : ରଥଖଳାରେ ସଂକ୍ରମଣମୁକ୍ତ ପରିବେଶ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ | ସମ୍ପୂର୍ଣ୍ଣ ରଥଖଳାକୁ ବାୟୋ ବବଲ୍‌ ବଳୟରେ ରଖିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ |

ରଥକାମରେ ନିୟୋଜିତ ୧୮ ଜଣ ସେବାୟତ ଏବେ କରୋନାରେ ସଂକ୍ରମିତ | ଏହାକୁ ଦୃଷ୍ଟିରେ ରଖି କଡା ସୁରକ୍ଷା ବଳୟ ମଧ୍ୟରେ ରଥନିର୍ମାଣ କାର୍ଯ୍ୟ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି | ଗତକାଲି ମୁଖ୍ୟ ପ୍ରଶାସକ ରଥ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ପରେ ଆଜି ରଥଖଳାରେ ବାୟୋ ବବଲ୍‌ କଟକଣା ଜାରୀ କରାଯାଇଛି | ରଥଖଳା ପ୍ରବେଶ ଉପରେ କଡା କଟକଣା ଲଗାଯିବା ସହ ରଥଖଳାକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି | ବାୟୋ ବବଲ୍‌ ନିୟମ ଅନୁଯାୟୀ ରଥଖଳାରେ ନିୟୋଜିତ ରଥନିର୍ମାଣ ସେବାୟତଙ୍କୁ ସଂଘରୋଧରେ ରଖାଯାଇ ରଥନିର୍ମାଣ କାର୍ଯ୍ୟ କରାଯାଉଛି |

ଜିଲ୍ଲାପାଳ ଓ ଏସପି ରଥଖଳାରେ ପହଞ୍ଚି ବାୟୋ ବବଲ୍‌ ବ୍ୟବସ୍ଥାର ଯାଞ୍ଚ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛନ୍ତି | ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି | ତିନିରଥ ପାଇଁ ଆବଶ୍ୟକ ୪୨ ଟି ତୁମ୍ବ ମଧ୍ୟରୁ ୪୦ ଟି ତୁମ୍ବ କାର୍ଯ୍ୟ ଶେଷ ହୋଇଛି | ତୁମ୍ବରେ ବିନ୍ଧ ପାଇଁ ସୂତା ବାଡିଆ କାର୍ଯ୍ୟ ଚାଲିଛି | ଏହାପରେ ଘେରକଟା ଓ ଠେକକଟା କାମ ଆରମ୍ଭ ହେବ | ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରୂପକାର ମାନେ ଗୁଜ ଅନୁକୂଳ କରିବାର ବିଧି ରହିଛି | କୋଭିଡ କଟକଣା ମଧ୍ୟରେ ରଥନିର୍ମାଣ କାର୍ଯ୍ୟକୁ ଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ଗୁରୁତ୍ୱ ଦେଉଛି |