ଭୁବନେଶ୍ୱର: ହେ ବାବୁ ମୋ ଛୁଆକୁ କୁଆଡେ ନେଇଯାଉଛ। ମୋ ଧନର କଣ ହେଇଛି। ତାକୁ ମୋ ଠାରୁ ଛଡେଇ ନିଏନିରେ ବାବୁ ,ମୋ ଛୁଆ ବିନା ମୁଁ ଘଡ଼ିଏ ବଞ୍ଚି ପାରିବିନି। ଯଦି ଅଜାଣତରେ ମୋ ଛୁଆ କିଛି ଭୁଲ କରିଛି ସେଥିପାଇଁ ମୋତେ ପଛେ ଦଣ୍ଡ ଦିଅ। ହେଲେ ମୋ ଛୁଆକୁ ଛାଡିଦିଅ। ପାଟି ଖୋଲି ଖାଇପାରୁନି ସିନା ହେଲେ ଗାଈର ଆଚରଣରରୁ ଦେଖିଲେ ଆପଣ ଅନୁମାନ କରିପାରିବେ ।
ଥରେ ନଜର ପକାନ୍ତୁ ଏ ଦୁଶ୍ୟ ଉପରେ କେମିତି ଗାଈ ଟି ତା ଛୁଆ ପଛେ ପଛେ ଦୌଡୁଛି। ଯେଉଁଠି ସ୍କୁଟର ଟି ଅଟକି ଯାଉଛି ସେଇଠି ମା ଗାଈ ଟି ଗାଡି ଆଗକୁ ଚାଲି ଆସୁଛି । ଗାଈର ହାବଭାବ ଦେଖିଲେ ଲାଗୁଥାଏ,ସତେ ଯେମିତି ଗାଈ ଟି ଗାଡିକୁ ଅଟକେଇବାକୁ ଚେଷ୍ଟା କରୁଛି। ହେଲେ ଏହି ଅଭୁଜା ମାକୁ କିଏ ବୁଝେଇବ। ତା ଛୁଆକୁ କିଏ କୁଆଡେ ନେଉନାହାନ୍ତି ବରଂ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଇନ୍ଫୋସିଟି ଛକରେ ବାଛୁରୀକୁ ଧକ୍କା ଦେଇ ଦ୍ରୁତ ଗତିରେ ଚାଲିଯାଇଥିଲା ଗୋଟିଏ କାର। ରାସ୍ତାରେ ପଡି ବାଛୁରିଟି ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଖବର ପାଇ ପଶୁ ସୁରକ୍ଷା ସମିତିର ସଦସ୍ୟ ପହଞ୍ଚିଥିଲେ ଘଟଣାସ୍ଥଳରେ । ସଙ୍ଗେ ସଙ୍ଗେ ବାଛୁରୀକୁ ଧରି ଡାକ୍ତରଖାନା ନେବା ପାଇଁ ନିଷ୍ପତ୍ତି ନେଇଥିଲେ। ସ୍କୁଟିରେ ବାଛୁରୀକୁ ନେବା ବେଳେ ଗାଡି ପଛେ ପଛେ ଧାଇଁବାକୁ ଲାଗିଥିଲା ମା ଗାଈଟି । ଛୁଆ ପାଇଁ ମାର ଏଭଳି ବ୍ୟାକୁଳତାର ଦୃଶ୍ୟ କଏଦ ହୋଇଥିଲା ମୋବାଇଲ କ୍ୟାମରରେ । ଯାହାକି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ରାଜଧାନୀ ରାଜରାସ୍ତାର ଏ ଦୃଶ୍ୟ ବାଟରେ ଯାଉଥିବା ଲୋକଙ୍କୁ ମଧ୍ୟ ବିଚଳିତ କରିଥିଲା। ଦେଖୁଥିବା ଲୋକେ ଜାଣିବାକୁ ଚେଷ୍ଟା କରୁଥିଲେ ଯେ,ଗାଈ ଟି କାହିଁକି ସ୍କୁଟର ପଛେ ପଛେ ଧାଉଁଛି । ପରେ ଗାଈ ଧାଇଁବା ପଛର କାହାଣୀ ଜାଣିବା ପରେ ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ। ସତରେ ମା ପରି କିଏ ହେବ ।